ମୁଁ ଦାଦନ ଶ୍ରମିକ କହୁଛି - ରଶ୍ମିତା ବେହେରା
ଭୋକିଲା ପେଟରେ ଲଙ୍ଗଳା ପାଦରେ
ରାଜରାସ୍ତାରେ ମୁଁ ଚାଲିଛି
ଆଖିର ଲୁହକୁ ଓଠରେ ପିଇ ମୁଁ
ମୋ ଭୋକକୁ କବର ଦେଇଛି।
ମୁଁ ଦାଦନ ଶ୍ରମିକ କହୁଛି (୧)
ଯୋଉ ଭୋକ ମତେ ଦାଦନ କରିଲା
ସେ ଭୋକ ଭିଟାମାଟିକୁ ଠେଲୁଛି
ଭୋକ ଭୁଗୋଳ ମୋ ବିସ୍ତାରୀ ବିସ୍ତାରୀ
ପେଟେ ପଇଁତରା ମାରୁଛି
ମୁଁ ଦାଦନ ଶ୍ରମିକ କହୁଛି। (୨)
କରୋନା ଦୁର୍ଦ୍ଧିନ ଅସହାୟ କରି
ଜୀବିକା ଛଡାଇ ନେଇଛି
ନା ଦୁଃଖ କମୁଛି, ନା ବାଟ ସରୁଛି
ଆଖି ମୋ ବତୁରୀ କାନ୍ଦୁଛି।
ମୁଁ ଦାଦନ ଶ୍ରମିକ କହୁଛି (୩)
ଆକାଶ କଇଁଆ ଚିଲିକାର ମାଛ
ସରକାରୀ ଯୋଜନା ସାଜିଛି
ରେଳ ଗଡିଲେ କି ଉଡାଯାହାଜ ଉଡିଲେ
ମୋ ଦୁଃଖ ବା କୋଉ ସରୁଛି
ମୁଁ ପରା ଦାଦନ ଶ୍ରମିକ ସାଜିଛି।(୪)
ଭୋକର ଭାରକୁ ଉଦରରେ ବୋହି
କଷ୍ଟରେ ଗଣ୍ଠିଲି ବୋହୁଛି
କାହାକୁ କହିବି କିଏବା ଶୁଣିବ
ଆଜି ଆହାରେ ପାହାର ପଡିଛି
ମୁଁ ଦାଦନ ଶ୍ରମିକ କହୁଛି।(୫)
ମୋ ଅସହାୟ ଚିତ୍ର ଟିଭିରେ ଦେଖିକି
ଚୁଲି ମୁହେଁ ସ୍ତ୍ରୀ ମୋର କାନ୍ଦୁଛି
ପାଣିପାଇଁ ଅଭିଯୋଗ ବାଢିବାରୁ
ମୋ ଚଉଦପୁରୁଷ ଦାଦନ ବୋଲି ମୁଁ ଶୁଣିଛି
ମୁଁ ଦାଦନ ଶ୍ରମିକ କହୁଛି।(୬)
ମୋ ପାଇଁ ଯୋଜନା ଯୋଜନ ଦୁରରେ
ପାଦ ମୋର ବୁଝି ସାରିଛି
ଦରପୋଡା ଓଠେ ଲୁଣଭର୍ତ୍ତି ଲୁହ
ତଥାପି ଆଗକୁ ଚାଲିଛି
ମୁଁ ଦାଦନ ଶ୍ରମିକ କହୁଛି।(୭)
ଜୀବନ ଜଞ୍ଜାଳ ଜାଳିଜାଳି ମତେ
ମନ ମୋ ନୀରବୀ ଯାଇଛି
ଖୋଲା ଆକାଶରେ ତାରକା ମେଳରେ
ଜହ୍ନ ବି ତାତ୍ସଲ୍ୟ କରୁଛି
ମୁଁ ଦାଦନ ଶ୍ରମିକ କହୁଛି।(୮)
କେ ଦେଖିଛ କୁହ ସୁନାର ଭାରତ
ମୁଁ ରାଜରାସ୍ତାରେ ଭାରତ ଦେଖୁଛି
କରୋନା ଦୁର୍ଦ୍ଧିନ, ମୁଁ ଯେ ପ୍ରବାସୀ ଦାଦନ
ଏଠି ମୋ କଥା ବା କିଏ ଶୁଣୁଛି
ଆଜ୍ଞା,ମୁଁ ପରା ଦାଦନ ଶ୍ରମିକ କହୁଛି।(୯)
Post a Comment