ରଙ୍ଗ

ରଙ୍ଗ - ସୁବ୍ରତ କୁମାର ନାୟକ


ଏଇ ଯେଉଁ ସହର ମଝିଆ ମଝି ପାର୍କ। ଆରେ ରବୀନ୍ଦ୍ର ମଣ୍ଡପଠୁଁ ଟିକେ ଆଗରେ। ନେଳି ରଙ୍ଗ ବୋଳା କଳଙ୍କି ଲଗା ଗେଟ୍ ଜୋଣି କୋଉ ଅମଳର। ମନେ ପଡ଼ିଲା । ହଁ ଆଉ ସେ ସ୍ଵତନ୍ତ୍ର ସିମେଂଟ ବେଂଚ୍, ଠିକ୍ କହିଲେ ସେ ସବୁଜ ଘାସ ଗାଲିଚା ଏପଟକୁ। ହଁ ପଳାଶ ଗଛ ପାଖ ବେଂଚ୍ ଟା। ପଳାଶ ଗଛ ଦିହରେ କେତେ କଣ ନାଁ ଲେଖା। ଅମୁକ ଲଭଲୀ ସମୁକ ପ୍ରିନ୍ସ, ଲଭ୍ ଇଜ୍ ଲାଇଫଠୁ ଆରମ୍ଭ କରି ଳଭ୍ ଇଜ୍ ଇନ୍ ଦ ଏୟାର୍ ଯାଏଁ। ପଳାଶ ଗଛର ଦେହସାରା ଦାଗ। ଦାଗ ନୁହେଁ ତ ଆଉ କାହା ପ୍ରେମର ଦଲିଲ। ସବୁ ଏଇ ବେଂଚଟା ପାଇଁ। ଏମିତି ଗୋଟେ ଜାଗାରେ ଅଛି ଯେ ସବୁବେଳେ ଏଇଠି ଗହଳି। ହଳେ ଗଲେ ଆଉ ହଳେ ଚାଲିଆସନ୍ତି। ସେଦିନ ବି ଫାଙ୍କା ନଥିଲା ବେଂଚ୍। ଶୀତ ଦିନ ଥିଲା କି କଣ। ଲାଲ୍ ଟହଟହ ପଳାଶଫୁଲଟା ଭାରି ଚମକୁଥିଲା ଆଉ ତାକୁ ଇର୍ଷା କରି ଗୋଲାପଗୁଡ଼ା ବି କିଛି କମ୍ ଚମକୁନଥିଲେ। ଲାଗୁଥିଲା ଗୋଲାପ ଗଛ ଗୁଡ଼ା ଇର୍ଷା ଜର୍ଜରିତ। ଫୋଡ଼ି ପକେଇବେ ସତେ ପଳାଶଗଛର ଦେହ ସାରା। ପଳାଶ ଗଛଟା ହସୁଥିଲା ଅବା। ହେ ହେ ଆଉ କୋଉ ଯାଗା ଅଛି ଯେ ଫୋଡ଼ିବୁ ଗୋଲାପ, ସବୁଠି ତ ହେଡକ୍ଲିପର ଅବାଂଛିତ ଆଘାତ। ପାର୍କସାରା ରାଜୁତି କରୁଥିଲା ଦିଗନ୍ତ ବିସ୍ତାରି ଘାସ ଗାଲିଚା ସାଙ୍ଗକୁ ସଅଳ ଶୀତୁଆ ସଂଜ। ଖାଂଟି ରୋମାଂଟିକ ପରିବେଶ ଥିଲା। ବେଂଚ୍ ରେ ବସିଥିଲା ଝିଅ ଟିଏ, ଏକୁଟିଆ। ବୟସ ?? ମୁଁ କହିଲେ ଆପଣ ବିଶ୍ବାସ କରିବେ। ନାଁ ମ ! ଛାଡ଼ନ୍ତୁ ସେକଥା। ସୂର୍ଯ୍ୟାଲୋକ ଆଉ ପାର୍କର ଧିମା ଆଲୁଅ ସମ୍ମିଶ୍ରଣରୁ ଯାହା ଦେଖାଯାଉଥିଲା ଡେନିମ୍ ଜିନ୍ସ ଆଉ ପିଙ୍କ୍ କଲରର ସ୍ବେଟରଟେ ପିନ୍ଧିଥିଲା। ହୁଏତ ଆପଣ ରାନୀ କଲର ଅଥବା ଗୋଲାପୀ କହିପାରନ୍ତି। କୁଆଡ଼େ ଗୋଟେ ଚାହିଁ ବସିଥିଲା। କାହାର ଗୋଟେ ଅପକ୍ଷା ଥିଲା ବୋଧେ। ହଁ ଅପେକ୍ଷା ସରିଲା। ସେପଟୁ କିଏ ଗୋଟେ ଆସିଲାଣି ବୋଧେ। ସମାନ ବୟସର ହେବେ କି କଣ। କଥା ବାର୍ତ୍ତାରୁ ଯାହା ଲାଗୁଥିଲା ବେଶୀ ଦିନର ଚିହ୍ନାଜଣା ନୁହେଁ କିନ୍ତୁ ବହୁତ ନିବିଡ଼। ଏଇ ସହରରେ କ’ଣ ଗୋଟେ କୋଚିଙ୍ଗ୍ ନେଉଛନ୍ତି। ଫେସବୁକରୁ କଥା ଆରମ୍ଭ, ନମ୍ବର ଦିଆନିଆ, ହ୍ବାଟ୍ସଆପରେ ମନ ଦିଆନିଆ ଆଉ ତାପରେ ଆଜି ଦେଖା। ଝିଅଟାର ନାଁ ସୁରଭି ଆଉ ପୁଅଟିର ନାଁ ସୁରେଶ। ଟାଇଟଲ୍ ଫାଇଟଲ କଥା କିଏ ପଚାରେ। ଲଭଲୀ ସୁରଭି ଆଉ ପ୍ରିନ୍ସ ସୁରେଶ। ଅନେକ ସମୟ ବିତିଯାଇଥିଲା ଜଣା ପଡ଼ୁନଥିଲା। ଫେସବୁକ ଡିପିର ଟିଶାର୍ଟ କଲରଠୁ ଆଜି ପିନ୍ଧିଥିବା ଟିଶାର୍ଟ ଯାଏଁ। ଲିପଷ୍ଟିକ୍ ରୁ ପଳାଶ ଫୁଲର ପାଖୁଡ଼ା ଯାଏଁ। ସେଦିନ ଯୋଉ ଟିଶାର୍ଟ ପିନ୍ଧିଥିଲ ସେଥିରେ ଜମା ଭଲଲାଗୁନଥିଲ। ତମକୁ ସେ ଲାଇମ୍ କଲରର ଟିଶାର୍ଟ ଖୁବ୍ ମାନେ। ଆରେ ସେଟା ତ ଗ୍ରୀନ କଲର ନା ସୁରଭି। ନାଁ ନାଁ ସେଟା ଲାଇମ୍ ନହେଲେ ଫ୍ରେଶ୍ ଗ୍ରାସ୍ କଲର। ଦୃଢ଼ ଭାବରେ କହୁଥିଲା ସୁରଭି। ଆଉ ଲିପଷ୍ଟିକ୍ କଲରଟା ରେଡ୍ ବୋଧେ ସୁରଭିର ଓଠକୁ ଗେଲ କରି ପଚାରିଲା ସୁରେଶ। ନାଁ ନାଁ ସେଟା ମେରୁନ୍। ଆଉ ସେ ପଳାଶ ଫୁଲଟା ସାଫ୍ରନ ତ? ନାଁ ସେଟା ୟେଲୋଇସ୍ ରେଡ। ତମେ କିଛି ଜାଣିନ। ହଁ ତମକୁ ତସବୁ ଜଣା…..। ମୁଁ ତମ ସହ କଥା ହେବିନି। ଏ ରୋମାଂଟିକ୍ ଝଗଡ଼ା ସରିବା ଭଳି ଲାଗୁନଥିଲା କିନ୍ତୁ ହୁଇସିଲ ବାଜି ସାରିଥିଲା ପାର୍କ ବନ୍ଦ ହେବାର। ବେଶ୍ କିଛି ଦିନ ବିତିଯାଇଥିଲା ୟା ଭିତରେ। ଆଉ କେତେଟା ନାଁ ଯୋଡ଼ା ସରିଥିଲା ପଳାଶ ଗଛ ଦେହରେ। ଫୁଲଗୁଡ଼ା ଆଗପରି ଆଉ ଚମକୁ ନଥିଲା । ସେଇ ବେଂଚ୍ କିନ୍ତୁ ସେମିତି ଥିଲା ଅନେକ ପ୍ରେମ କାହାଣୀର ନିର୍ଲଜ ଦସ୍ତାବିଜ୍ । ଆଉ ସେଦିନ ପରି ସୁରଭି ବସିଥିଲା ସେଦିନପରି ଆଖିରେ ଆଖିଏ ସପନ ନେଇ। ସୁରେଶ ଆସିଗଲାଣି ବୋଧେ। ହାତରେ କଣ ଗୋଟେ ପ୍ୟାକେଟ ଧରିଛି। ଚକୋଲେଟ୍….ଗିଫ୍ଝ…….ଷ୍ଟୋରୀବୁକ୍……। ଆରେ ନା ନା ମ୍ୟାରେଜ ଇନଭିଟେସନ କାର୍ଡ, ଭାରି ସହଜରେ କହିଲା ସୁରେଶ। ସତରେ!! ଖୁସି ହେଇଯାଇଥିଲା ସୁରଭି ଏଇ କଥା ପଦକ ଶୁଣି। କିନ୍ତୁ ବାହାଘରଟା ତମ ସହିତ ନୁହେଁ। ସୁରେଶ ସେମିତି ଠିଆହେଇ କହୁଥିଲା। ଆର୍ ୟୁ କ୍ରେଜି ସୁରେଶ ? ତମ ମୁଣ୍ଡ କାମ କରୁଛି ଟି ? ସତ କୁହ ମଜାକ୍ କରୁଛ ନା ? ନା ସୁରଭି ଏଇଟା ହିଁ ସତ। ମୋ ବାହାଘର ଅନ୍ୟ ଏକ ଯାଗାରେ ଠିକ ହେଇଯାଇଛି। ଆଉ ତାଛଡ଼ା ତମେ ଆମ କାଷ୍ଟ୍ ର ନୁହଁ। ସେଥିପାଇଁ ଘରେ ମନା କଲେ। ତମେ କଣ ଆଗରୁ ଜାଣିନଥିଲ ମୁଁ ତମ କାଷ୍ଟ୍ ର ନୁହେଁ। ବିବ୍ରତ ହୋଇ ପଚାରିଲା ସୁରଭି। ଆରେ ତମ ଫେସବୁକ ନାଁରେ ତ ଟାଇଟଲ ନଥିଲା । ଆମ ଦୁହିଁଙ୍କ ଦେହର ରଙ୍ଗ ସମାନ ତେଣୁ ମୁଁ ଭାବିଲି ଆମ କାଷ୍ଟ୍ ବି ସମାନ ହୋଇଥିବ। ଘରେ ବାଧ୍ଯ କଲେ ମୁଁ ମନା କରିପାରିଲିନି। ମୁଁ ତାହେଲେ ଆସୁଛି। ସୁରେଶ ଫେରିଯାଉଥିଲା ସେଇ ସମାନ ରାସ୍ତାରେ। ସୁରଭି ଚାହିଁରହିଥିଲା ଠିକ୍ ସେମିତି, ଯେମିତି ସୁରେଶ ଆସିବା ବେଳକୁ ଚାହିଁଥାଏ। ପଳାଶଫୁଲ ଗୁଡ଼ା ଝଡ଼ିବାକୁ ଆରମ୍ଭ କରିସାରିଥିଲା ପବନ ହେଲା କି କ’ଣ।

Post a Comment

2 Comments

  1. ଗପଟି ବହୁତ ବଢ଼ିଆ ଲାଗିଲା ସୁବ୍ରତ ଭାଇ ।

    ReplyDelete
  2. ଛୁଆ ସାମ୍ବାଦିକ ବହୁତ କଥା ଲକ୍ଷ୍ୟ କରୁଛନ୍ତି 😀
    ଭାଇ ମସ୍ତ ହେଇଚି ଲେଖା 👍

    ReplyDelete
Emoji
(y)
:)
:(
hihi
:-)
:D
=D
:-d
;(
;-(
@-)
:P
:o
:>)
(o)
:p
(p)
:-s
(m)
8-)
:-t
:-b
b-(
:-#
=p~
x-)
(k)

Hindi Ads