ଆଖି ଆଢୁଆଳେ



ଆଖି ଆଢୁଆଳେ - ମୋନାଲିଶା💙

"ରାମଚରଣ"। ଶ୍ରଦ୍ଧାରେ ସବୁରି "ରାମୁ"। ରାମୁ ର କଥା ପଡିଲା ମାତ୍ରେ ହରିପୁର ଗାଁର ଲୋକଙ୍କ ମନଭିତରେ ସ୍ୱତଃ ଏକ ପରୋପକାରୀ,ନିସ୍ବାର୍ଥ,ପରିଶ୍ରମୀ ଓ କ୍ଷୀଣ ଶରୀରଧାରୀ ମଣିଷର ଛବିଟିଏ ଉଙ୍କିମାରେ। ଗାଁ ଭିତରେ ଝାଟିମାଟି କୁଡିଆଟିଏ। କୁଡିଆରେ ପାଞ୍ଚପ୍ରାଣୀ କୁଟୁମ୍ବ। ରାମୁ,ତା ସ୍ତ୍ରୀ ରମ୍ଭା, ପୁଅ କାଳିଆ, ଝିଅ ଲକ୍ଷ୍ମୀ ଓ ବୁଢୀ ମା ଯଶୋଦା। ରାମୁ ବୃତ୍ତିରେ ଜଣେ କୃଷକ। ନିଜର ବୋଲି ଜମି ନାହିଁ। ଗାଁ ର କିଛି ଲୋକଙ୍କ ଜମିକୁ ଭାଗ ଚାଷ କରି ଗୁଜୁରାଣ ମେଣ୍ଟାଏ। ଦୁଃଖେକଷ୍ଟେ ପରିବାର ଚଳେ। କାଳିଆ ଆଉ ଲକ୍ଷ୍ମୀ ଗାଁର ସରକାରୀ ବିଦ୍ୟାଳୟରେ ପାଠ ପଢୁଥାନ୍ତି।ରାମୁ ମାଟି ସହ ମାଟି ହୋଇ ଖଟେ।ଲହୁ ତାର ଝାଳ ରୂପେ ନିଗିଡେ।କ୍ଷେତରେ ଥିଲେ କେତେବେଳେ ସଞ୍ଜହୁଏ ସେ ଜାଣିପାରେନି।ପାଣିପାଗ, ଜଳବାୟୁ ଏସବୁ ଶଦ୍ଦସହ ସେ ସଂପୂର୍ଣ୍ଣ ଅପରିଚିତ। ଭଗବାନ ଙ୍କ ଉପରେ ଭାରି ଭରସା। ନିଜ ଚାଳରୁ ପାଣି ନିଗୁଡୁଥିଲେ ମଧ୍ୟ ସେ ବର୍ଷା ପାଇଁ ପ୍ରାର୍ଥନା କରେ। କିନ୍ତୁ ଆଜିକାଲି ବର୍ଷା ହିଁ ବେଶୀ ଧୋକା ଦେଉଛି।ତଥାପି ସେ ହାର ମାନେନି। କର୍ମ ହିଁ ଈଶ୍ୱର- ଏ କଥାକୁ ଗଣ୍ଠିଲି କରି ସେ କର୍ମ କରିଚାଲିଛି। ଏସନ କିନ୍ତୁ ଅଦିନିଆ ବର୍ଷା ତାର ସବୁ ଆଶା ଓ ସ୍ୱପ୍ନକୁ ଧୋଇ ନେଇ ଯାଇଛି।ଗଲାବର୍ଷ ବର୍ଷା ନହେବାରୁ ଫସଲ ହୋଇନଥିଲା।ଋଣ ଶୁଝି ନ ପାରିବାରୁ ପୂର୍ବପୁରୁଷଙ୍କ ସନ୍ତକ ଏ କୁଡିଆଟାକୁ ମହାଜନ ପାଖେ ବନ୍ଧକ ରଖିଛି। ଏଥର ସେ କଣ କରିବ। ଆଉ ତ ସମ୍ବଳ କିଛି ନାହିଁ। ଆଠ ଦିନ ହେଲାଣି ଘରେ ଚୁଲି ଜଳିନି। ବୁଢି ମା ଟାକୁ ବି ଜର। ଔଷଧ ଟିକେ ଦେଇପାରୁନି। ସେପଟେ ମହାଜନର ତାଗିଦ୍ ଋଣ ପରିଶୋଧ ନ କଲେ ମୁଣ୍ଡ ଉପରେ ଫୁଟା ଚାଳ ଟା ମଧ୍ୟ ରହିବନି। ଛୁଆ ଦୁଇଟାଙ୍କର ଭବିଷ୍ୟତ କଣ ହେବ।ଏମିତି ବହୁତ କଥା ଭାବୁ ଭାବୁ ହଠାତ୍ ତାର ମନେ ପଡିଲା ଗାଁ ପଣ୍ଡିତେ କହୁଥିଲେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି।ବିରୋଧିଙ୍କ ଚାପରେ ସରକାର ମୋଟାଅଙ୍କର କ୍ଷତିପୂରଣ ଦେଉଛନ୍ତି। କିନ୍ତୁ ସେ ଏସବୁ କାହିଁକି ଭାବୁଛି।"ନା ନା ଆତ୍ମହତ୍ୟା ମହାପାପ"।ତା ଛଡା ତା ସଂସାର କଥା କିଏ ବୁଝିବ। କଡ ଲେଉଟାଉ ଲେଉଟାଉ ଦୃଷ୍ଟି ପଡିଲା ଖଣ୍ଡେ ଚାରିହାତ ଲମ୍ବ ଦଉଡି ଉପରେ। ତା ଆଖିରେ ନାଚି ଉଠିଲା ମହାଜନର ରୁକ୍ଷରୂପ। ଉଜୁଡା ଫସଲ। ବୁଢି ମା'ର ଜରୁଆ ଦେହ। ଛୁଆଙ୍କ ବିକଳ ମୁହଁ। ଏସବୁ ଆଗରେ ଚାରିହାତ ଦଉଡି ବହୁତ ଲମ୍ବା ଲାଗିଲା ତାକୁ। ବାସ୍ ସେଇ କୁଡିଆ ପଛ ଆମ୍ବଗଛ ରେ ଝୁଲିପଡିଲା ସେ। ରାତିସାରା ତା ଶବ ଭାବୁଥିଲା ଏଥର ତା ସଂସାର ତାର ମୃତ୍ୟୁ ର ମୂଲ୍ୟରେ ସୁରୁଖୁରୁରେ ଚାଲିବ। କିନ୍ତୁ ସକାଳୁ ସବୁ ନାମୀ ଦାମୀ ଖବରକାଗଜର କେଉଁ ଏକ କଣ ରେ ତାର ମୃତ୍ୟୁ ସମ୍ବାଦ କିଛି ଏମିତି ଥିଲା- "ଦାମ୍ପତ୍ୟ କଳହ ଯୋଗୁ ଯୁବକଙ୍କ ଆତ୍ମହତ୍ୟା"।
ଗୁମୁରି କାନ୍ଦୁଥିଲା ରାମୁର ଆତ୍ମା। "ତା ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କ ସରକାର ଥିବା ଯୋଗୁ ତା ମୃତ୍ୟୁ କୁ ନେଇ ରାଜନୀତି କରିବାକୁ କେହି ସଅଳ ଆସି ନଥିଲେ।ରାତିକ ମଧ୍ୟରେ ଓଲଟି ଯାଇଥିଲା ସବୁକିଛି।ସକାଳ ଝାଡିଝୁଡି ହୋଇ ପରିଷ୍କାର ହୋଇଯାଇଥିଲା। ଆଢୁଆଳରେ ରହିଯାଇଥିଲା "ରାମୁର ଆତ୍ମହତ୍ୟାର କାରଣ ଆଉ ତା ପରିବାରକୁ ନେଇ ସେ ସଜେଇଥିବା ବ୍ୟର୍ଥ ସ୍ୱପ୍ନ"। ଜୟ କିଷାନ ର ନାରା ଲଗାଇ ଫଟା ଜିନ୍ସ ଆଉ ଦୁର୍ନିତୀ ର ଫେସନ୍ ରେ ନିଜକୁ ପ୍ରତିଷ୍ଠିତ ବୋଲାଉଥିବା ତଥାକଥିତ ବୁଦ୍ଧିଜୀବୀ ମାନଙ୍କୁ କିଛି ଫରକ ପଡିନଥିଲା ଏମିତି ଏକ ସାଧାରଣ ଖବର ର।
©ମୋନାଲିଶା💙

Post a Comment

Post a Comment (0)

Previous Post Next Post
Free Shubhdristi App Download Now