ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ - ମୋନାଲିଶା💙
"ଏଯାଏ ବି କାମ ସରିନି ଗୁରୁ ମଉସାଙ୍କର। ଟଙ୍କା ଟ୍ରାନ୍ସଫର୍ କରିବାକୁ ବ୍ୟାଙ୍କ କୁ ଆସିଛନ୍ତି ଯେ ଏକ ଘଣ୍ଟା ହୋଇଗଲାଣି" ଏହା ଭାବି ରିଣ୍ଟୁ ତାଙ୍କୁ ଡାକିବାକୁ ଉଦ୍ୟତ ହେଉଛି ଗୁରୁ ମଉସା ହସିହସି ବ୍ୟାଙ୍କ ରୁ ବାହାରି ଆସିଲେ।
-"ଆରେ ରିଣ୍ଟୁ ତୁ ଏଇଠି ଠିଆ ହୋଇଛୁ,ଏଇ କାମ ସାରୁ ସାରୁ ଟିକେ ଡେରି ହେଇଗଲା।ହଉ ଗାଡି ଷ୍ଟାର୍ଟ କର ଯିବା "।
ରିଣ୍ଟୁ ଗାଡି ଷ୍ଟାର୍ଟ କଲା।"ଗୁରୁ ମଉସା, ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ଦୁଇ ପୁଅ ବିଦେଶରେ ଉଚ୍ଚ ପଦବୀରେ କାର୍ଯ୍ୟରତ।ଘରେ ତାଙ୍କ ସ୍ତ୍ରୀ ଗୌରୀ ଦେବୀ। ସେ ବି ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ"। ରିଣ୍ଟୁ ଆଉ ନିଜ ମନକୁ ଅଟକେଇ ନ ପାରି ପଚାରିଲା-
" ମଉସା, ଆପଣ ଆପଣଙ୍କର ଇଣ୍ଟରନେଟ୍ ବ୍ୟାକିଙ୍ଗ୍ କାହିଁକି ଆକ୍ଟିଭ କରଉ ନାହାଁନ୍ତି?
- "ମୁଁ କାହିଁକି ଇଣ୍ଟରନେଟ ବ୍ୟାକିଙ୍ଗ ଆକ୍ଟିଭ୍ କରିବି? ତା ଛଡା କଲେ କଣ ହେବ?" ଗୁରୁ ମଉସା ଉତ୍ତର ଦେଲେ।
-"ମଉସା ଆପଣଙ୍କୁ ଆଉ ଏମିତି ଘଣ୍ଟାଏ ସମୟ ନଷ୍ଟ କରି ବ୍ୟାଙ୍କ ଆସିବାକୁ ପଡିବନି, ଆପଣ ନିଜ ଘରେ ବସି ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ।ଖାଲି ଏତିକି ନୁହେଁ ଆପଣ ସବୁ ପ୍ରକାର କିଣାକିଣି ମଧ୍ୟ ଅନଲାଇନରେ କରିପାରିବେ।ସବୁକିଛି ବହୁତ ସହଜ ମଉସା, ଖାଲି କେତେଟା କ୍ଲିକ କରିବାର ଅଛି ଆଉ ଜିନିଷ ଆସି ଆପଣଙ୍କ ଘରେ।" ମଉସାଙ୍କୁ ଇଣ୍ଟରନେଟ୍ ବ୍ୟାକିଙ୍ଗ ସହ ପରିଚୟ କରିବା ବେଳେ ରିଣ୍ଟୁ ନିଜ ଭିତରେ ଗଡ ଜିତିଲା ପରି ଖୁସି ଅନୁଭବ କରୁଥିଲା।ଗୁରୁମଉସା କହିଲେ-" ଆଛା, ଯଦି ମୁଁ ଇଣ୍ଟରନେଟ ବ୍ୟାକିଙ୍ଗ ଆକ୍ଟିଭ କରିବି ତ ମୋତେ ଆଉ ଘର ବାହାରକୁ ଯିବାକୁ ପଡିବନି, ଏଇଆ ତ?"। ମଉସାଙ୍କ କଥା ଶୁଣି ରିଣ୍ଟୁ ବହୁତ ଉତ୍ସାହିତ ହୋଇ କହି ଚାଲିଲା- "ହଁ ମଉସା, ଆପଣ ଘରେ ବସି ଗ୍ରୋସରୀ ଠୁ ନେଇ ଆସବାବପତ୍ର ଯାଏ ସବୁକିଛି ସହଜରେ ଆଉ ସୁବିଧାରେ ପାଇ ପାରିବେ। ଆମାଜନ୍, ଫ୍ଲିପକାର୍ଟ ଆଦି ସ୍ୱଳ୍ପ ସମୟରେ ସବୁ ଜିନିଷ ଆଣି ଘରେ ପହଞ୍ଚେଇ ଦେଉଛନ୍ତି।"
ମଉସା କହିଲେ-
" ଆଜି ଯେତେବେଳେ ମୁଁ ବ୍ୟାଙ୍କ ଗଲି ସେଠି ମୋର ଚାରିଜଣ ବନ୍ଧୁଙ୍କ ସହ ଭେଟ ହେଲା।ସୁଖଦୁଃଖ ବାଣ୍ଟିବାକୁ ସୁଯୋଗ ମିଳିଲା।ମୁଁ ବ୍ୟାଙ୍କର ଷ୍ଟାଫ ମାନଙ୍କ ସହ ମଧ୍ୟ କିଛି ସମୟ କଥା ହେଲି।ଯାହା ଦ୍ବାରା ଏବେ ସେମାନେ ମତେ ଭଲ ଭାବେ ଜାଣିଗଲେ।ତୁ ତ ଜାଣିଛୁ ମୁଁ ଏକୁଟିଆ ଲୋକ।ଅବସର ପରେ ଏମିତି ଲୋକ ସଂପର୍କ ସୃଷ୍ଟି କରିବାକୁ ଭଲ ଲାଗୁଛି।ରେଡି ହେଇ ବ୍ୟାଙ୍କ ଆସିବାକୁ ବି ଭଲ ଲାଗୁଛି।ତା ଛଡା ମୋ ପାଖେ ଯଥେଷ୍ଟ ସମୟ ବି ଅଛି।ଏଇ ମୁହଁ ଦେଖାଚାହାଁ ଭିତରେ ଯେଉଁ ସଂପର୍କ ସୃଷ୍ଟି ହୁଏ ତା ଅନଲାଇନ ଚାଟିଂ କି ଫୋନକଲ ମାଧ୍ୟମରେ ସମ୍ଭବ ନୁହେଁ।ଦୁଇବର୍ଷ ତଳେ ମୁଁ ବହୁତ ଅସୁସ୍ଥ ଥିଲି, ସେଇ ଫଳଦୋକାନୀ ଯାହା ପାଖରୁ ମୁଁ ଫଳଫୁଲ କିଣେ, ସେ ମୋତେ ଦେଖିବାକୁ ଆସିଥିଲା।ମନେ ପଡେ ସେଦିନ ସେ ମୋ ବିଛଣା ପାଖେ ବସି କେତେ କାନ୍ଦିଛି। ଏଇ କିଛିଦିନ ପୂର୍ବରୁ ମୋ ସ୍ତ୍ରୀ ମାନେ ତୋ ମାଉସୀ ମର୍ଣ୍ଣିଂୱକରେ ଯାଇଥିଲା ବେଳେ ଉଚ୍ଚ ରକ୍ତଚାପ ଯୋଗୁଁ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ। ସେ ରାସନ ଦୋକାନୀ ଯିଏ ଆମ ଘରକୁ ରାସନ ଦିଏ ସେ ତୋ ମାଉସୀକୁ ଦେଖି ତା ନିଜ ଗାଡିରେ ବସାଇ ଆଣି ମୋ ଘରେ ଛାଡି ଦେଇଗଲା।କାରଣ ସେ ଜାଣିଥିଲା ମୁଁ କେଉଁଠି ରହୁଛି।ଆଛା କହିଲୁ ଯଦି ସବୁକିଛି ମୁଁ ଅନଲାଇନରେ କିଣାକିଣି କରିଥାନ୍ତି, ତାହେଲେ ଏ ମଣିଷ ମାନଙ୍କର ଏମିତି ଉପକାର କଣ ମୋତେ ମିଳିଥାନ୍ତା? ତେଣୁ ମୁଁ କାହିଁକି ଚାହିଁବି ଯେ ସବୁକିଛି ମୋ ଘରେ ଆସି ପହଞ୍ଚୁ ଆଉ ମୁଁ 'ବାପରାଣ ଢିଙ୍କି ଗିଳ' ପରି ଇଛା ନଥିଲେ ବି କମ୍ପ୍ୟୁଟର ପାଖେ ବସି ରୋଗକୁ ନିମନ୍ତ୍ରଣ କରେ।ବରଂ ମୋତେ ଜାଣିବାକୁ ଭଲ ଲାଗେ ଯେ ମୁଁ ଯାହାଠୁ କିଣୁଛି ସେ କେମିତି ଲୋକ। ଖାଲି ଏତିକି ନୁହେଁ ନିୟମିତ ଗୋଟିଏ ଲୋକର ସଂପର୍କ ରେ ଆସିଲେ ତା ସହ ଗୋଟେ ଅଜଣା ଆତ୍ମୀୟତା ବଢିଯାଏ।ଏକ ଅଦୃଶ୍ୟ ସଂପର୍କର ଡୋରି ବାନ୍ଧି ହୋଇଯାଏ।ସେମାନେ ମୋ ପାଇଁ ଆଉ ଖାଲି ଦୋକାନୀ ହୋଇ ନଥାନ୍ତି କି ମୁଁ ବି ସେମାନଙ୍କ ପାଇଁ ଖାଲି ଖାଉଟି ହୋଇ ନଥାଏ। ସ୍ନେହ ସୌହାର୍ଦ୍ଦ୍ୟ ର ଏକ ଦୃଢ ସଂପର୍କ ସୃଷ୍ଟି ହୋଇଥାଏ। ଆଛା ରିଣ୍ଟୁ କହିଲୁ ତୋ ଆମାଜନ କଣ ଏସବୁ ଡେଲିଭର କରିପାରିବ?"
ଗୁରୁ ମଉସାଙ୍କ କଥା ଶୁଣି ରିଣ୍ଟୁର ମୁହଁ ବନ୍ଦ ହୋଇଯାଇଥିଲା ।ତା ପାଖେ ମଉସାଙ୍କ ପ୍ରଶ୍ନର କୌଣସି ଉତ୍ତର ନଥିଲା। ସେ ମଉସାଙ୍କଠୁ ବିଦାୟ ନେଇ ଆସିଲା ବେଳେ ଭାବୁଥିଲା -
" ସତେ ତ! ଅନଲାଇନ ର ଏ ଦୁନିଆ ସବୁ କିଛି କୁ ଯେମିତି ସୀମିତ କରି ଦେଇଛି। ଗୋଟିଏ ପଟେ ଲୋକଙ୍କୁ ଯୋଡୁଥିବା ବେଳେ ଅନ୍ୟପଟେ ସଂପୂର୍ଣ୍ଣ ଏକା କରି ଦେଇଛି। ଭୌତିକ ଭାବେ ମଣିଷ ମଣିଷଠୁ କେତେ ଦୂରରେ। ବେଳେବେଳେ ଏହା ମଣିଷକୁ ଅଠାକାଠିରେ ବି ପକେଇ ଦେଉଛି। ଆଜି ଆମ ଘରେ ଚାଲୁଥିବା ଟିଭି ର ସାଉଣ୍ଡ ଏତେ ଅଧିକ ଯେ ପାଖ ପଡିଶାଘରେ ଯଦି କିଏ କାହାକୁ ମାରିଦେଲା, ତା ହେଲେ ବି ଆମକୁ ଜଣା ପଡେନି। "ସତରେ ମଉସା! ତୁମେ ଠିକ୍ କହିଛ ସବୁକିଛି ଆମାଜନ ଡେଲିଭର କରିପାରେନି"।
©ମୋନାଲିଶା💙
Post a Comment