ବିବାଦୀୟ ବୀର ସାବରକର୍

ବିବାଦୀୟ ବୀର ସାବରକର୍


ବିନାୟକ ଦାମୋଦର ସାବରକର କେବଳ ସ୍ଵାଧୀନତା ସଂଗ୍ରାମୀ ନଥିଲେ,ଏକାଧାରରେ ଜଣେ କବି ଲେଖକ,ଦାର୍ଶନିକ ତଥା ଜଣେ ସମାଜ ସୁଧାରକ ଥିଲେ। ତାଙ୍କର ସ୍ପଷ୍ଟ ହିନ୍ଦୁତ୍ୱ ବାଦୀ ବିଚାରଧାରା ପାଇଁ ଯେତିକି ବିବାଦକୁ ଆସିନଥିଲେ ଏବେ କିଛି ରାଜନୈତିକ ଗୋଷ୍ଠୀର ସ୍ବାର୍ଥଦୃଷ୍ଟିରୁ ଅଧିକ ବିବାଦ ଘେରରେ ଅଛନ୍ତି, କେବଳ ବୀର୍ ସାବରକର୍ ନୁହନ୍ତି ପ୍ରାୟତଃ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଓ ବିବାଦ କଳ୍ପନା ପ୍ରସୂତ।
                ଗତ ୨୮ ମଇ ବୀର ସାବରକରଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଛତିଶଗଡ ର ମୁଖ୍ୟମନ୍ତ୍ରୀ ଭୂପେଶ୍ ବଘେଲା ବୟାନ ଦେଇଛନ୍ତି ସାବରକରଙ୍କୁ କାହିଁକି ଏତେ ସମ୍ମାନ ଦିଆଯାଉଛି। ଧର୍ମ ଭିତ୍ତିରେ ଦେଶ ବିଭାଜନ ସାବରକରଙ୍କ ନୀତି ଥିଲା, ଜିନ୍ନା ତ କେବଳ ୟାକୁ ସଫଳ କରିଥିଲେ। ଏହା ପୂର୍ବରୁ ମଧ୍ୟ କିଛିଦିନ ପୂର୍ବରୁ ରାଜସ୍ଥାନ ର ରାଜ୍ୟ ସରକାର ପାଠ୍ୟପୁସ୍ତକର ବିଷୟରୁ ସାବରକରଙ୍କ ନାମ ପୂର୍ବରୁ ବୀର ଶବ୍ଦ ଉଚ୍ଛେଦ କରିଛନ୍ତି ତଥା ତାଙ୍କୁ "Son of Portugal" ବୋଲି ଉଲ୍ଲେଖ କରିଛନ୍ତି। ଗୋଆରେ ମଧ୍ୟ ବୀର ସାବରକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କୁ ନେଇ ବିରୋଧୀ ମାନେ ବିରୋଧ ପ୍ରକାଶ କରିଛନ୍ତି। ବିବାଦ ଯେ କେବଳ ଏବେ ସୃଷ୍ଟି ହୋଇଛି ତାହା ନୁହେଁ ୩ ବର୍ଷ ତଳେ ଅର୍ଥାତ୍ ୨ ମାର୍ଚ୍ଚ ୨୦୧୬ ରେ ଲୋକସଭାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଧ୍ୟକ୍ଷ ସଂସଦ ରେ ଏକଥା ମଧ୍ୟ କହିବାକୁ ପଛାଇନଥିଲେ "ଗାନ୍ଧୀ ଆମର, ସାବରକର୍ ତୁମର"। ଉକ୍ତ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ତରଫରୁ ୨୩ ମାର୍ଚ୍ଚ ୨୦୧୬ ରେ ମଧ୍ୟ ଭଗତ ସିଂହ ଏବଂ ବୀର ସାବରକରଙ୍କ ତୁଳନାତ୍ମକ ଚିତ୍ର ଟୁଇଟର ରେ ଛାଡି ଭଗତ ସିଂହ ଶହୀଦ ଆଉ ବୀର ସାବରକର ଙ୍କୁ ଗଦ୍ଦର୍ ଉଲ୍ଲିଖିତ କରାଯାଇଥିଲା। ଏହି ସବୁ ବିବାଦ ଓ ଏହାର ଆଧାର କୁ ବୁଝିବାକୁ ହେଲେ ପ୍ରଥମେ ସାବରକରଂକ୍ ଜୀବନ ବିଷୟରେ ସଂକ୍ଷେପରେ ଜାଣିବାକୁ ପଡ଼ିବ।
               ବିନାୟକ ଦାମୋଦର ସାବରକର୍ ୨୮ ମଇ ୧୮୮୩ ରେ ନାସିକ୍ ନିକଟବର୍ତ୍ତୀ ଭାଗୁର୍ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଭାରତର ପ୍ରଥମ ନେତା ଯେ ଇଂରେଜମାନଙ୍କ ବିରୋଧରେ ୧୯୦୫ ରେ କଲେଜ୍ ରେ ପଢୁଥିବା ବେଳେ ପୁନେ ଠାରେ ବିଦେଶୀ ବର୍ଜନ ଡାକରା ଦେଇ ବିଦେଶୀ ବସ୍ତ୍ର ଜାଳିଥିଲେ। ୧୮୫୭ର ମହାନ୍ ସିପାହୀ ବିଦ୍ରୋହକୁ ନେଇ ଅନେକ ତଥ୍ୟଭିତ୍ତିକ ଗବେଷଣା କରି ଏକ ପୁସ୍ତକ ରଚନା କରିଥିଲେ, ଯାହା ପ୍ରକାଶିତ ହେବା ପୂର୍ବରୁ ତା ଉପରେ ଦୁଇ ଦୁଇ ଥର ପ୍ରତିବନ୍ଧକ ଲାଗିସାରିଥିଲା। ୧୯୦୫ ରୁ ୧୯୦୯ ମଧ୍ୟରେ ବିଭିନ୍ନ ଭାଷଣ ଓ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କ ଲେଖା ଇଂରେଜ ସରକାରଙ୍କ ବିରୋଧରେ ତ୍ୱରକ ରୂପେ କାର୍ଯ୍ୟ କରିଥିଲା। ଲଣ୍ଡନରେ ଓକିଲାତି ପାସ୍ କରିଥିଲେ ବି ତାଙ୍କୁ ଓକିଲାତି କରିବାକୁ ଅନୁମତି ଦିଆଯାଇନଥିଲା। ପାଠ ପଢୁଥିବା ସମୟରେ ସେ ମିତ୍ର ମେଳା, ଅଭିନବ ଭାରତ, ଫ୍ରୀ ଇଣ୍ଡିଆ ସୋସାଇଟିକୁ ଗଠନ କରି ଭାରତୀୟ ଛାତ୍ର ମାନଙ୍କ ମଧ୍ୟରେ ଦେଶପ୍ରେମ ବନ୍ହି ଜାଳିଥିଲେ। ଏହି ସମୟରେ ସାବରକର୍ ଏକ ଭାଷଣରେ କହିଥିଲେ "ହିନ୍ଦୁମାନେ ହେଉଛନ୍ତି ଭାରତବର୍ଷର ପ୍ରାଣବିନ୍ଦୁ କିନ୍ତୁ ଇନ୍ଦ୍ରଧନୁ ଯେପରି ଗୋଟିଏ ରଙ୍ଗ ନ ହୋଇଅନ୍ୟ ରଙ୍ଗ ସହ ମିଶି ସୁନ୍ଦର ଦିଶିଥାଏ ଠିକ୍ ସେହିପରି ମୁସଲିମ ଶିଖ ଜୈନ ଓ ଇସାଇ (ଖ୍ରୀଷ୍ଟ ଧର୍ମାବଲମ୍ବୀ) ମାନଙ୍କ ସହ ସମନ୍ଵୟ ଓ  ସହାବସ୍ଥାନ ରକ୍ଷା କଲେ ଭାରତ ସୁନ୍ଦର ଲାଗିବ।"
                    ୱିଲିୟମ୍ ହାର୍ଟ କର୍ଜନ୍ ଙ୍କ ମୃତ୍ୟୁ ରେ ସଂପୃକ୍ତି ଆଧାରରେ ତାଙ୍କୁ ୧୩ ମଇ ୧୯୧୦ ରେ ଗିରଫ କରାଯାଇଥିଲା। ସେଠାରୁ ଭାରତ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଜାହାଜରୁ ଖସିବାର ଚେଷ୍ଟା କରି ବିଫଳ ହେବାପରେ ତାଙ୍କୁ ପୁନେର ୟେରୱାଦା ଜେଲରେ ରଖାଗଲା। ୨୪ ଡିସେମ୍ବର ୧୯୧୦ ଓ ୩୧ ଜାନୁୟାରୀ ୧୯୧୧ ରେ ତାଙ୍କୁ ଦୁଇ ଥର ଆଜୀବନ କାରାଦଣ୍ଡ ସହିତ କଳାପାଣି ପଠାଇଦିଆଗଲା। ବିଶ୍ଵ ଇତିହାସରେ ବୀର ସାବରକର୍ ଏକମାତ୍ର ବ୍ୟକ୍ତି ଯାହାଙ୍କୁ ଦୁଇ ଦୁଇ ଥର ଆଜୀବନ କାରାଦଣ୍ଡ ହୋଇଛି। ରାଜନୀତିକ ବ୍ୟକ୍ତି ହୋଇଥିଲେ ହେଁ ରାଜନୈତିକ ବନ୍ଦୀ ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗରୁ ତାଙ୍କୁ ଦୁରେଇ ରଖାଯାଇଥିଲା। କଳାପାଣି ରେ ବନ୍ଦୀମାନଙ୍କୁ ଅକଥନୀୟ ଅତ୍ୟାଚାର ତଥା ପଶୁବତ୍ ବ୍ୟବହାର କରାଯାଉଥିଲା। ବିଭିନ୍ନ ରାଜନୈତିକ ଚାପ ଓ ଲୋକଙ୍କ ସମର୍ଥନ କାରଣରୁ ତାଙ୍କୁ ୨୧ ମଇ ୧୯୨୧ ରେ ପୁନେ ଜେଲକୁ ସ୍ଥାନାନ୍ତର କରାଯାଇଥିଲା ଓ ପରେ ୧୯୨୪ ରେ ତାଙ୍କୁ ଜେଲ୍ ରୁ ଛାଡିଦିଆଗଲା ସତ କିନ୍ତୁ ୧୦ ମଇ ୧୯୩୭ ପର୍ଯ୍ୟନ୍ତ ନଜରବନ୍ଦୀ କରି ରଖାଯାଇଥିଲା। ତାଙ୍କର ସମସ୍ତ ରାଜନୈତିକ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ୧୯୨୪ ରୁ ୧୯୩୭ ଏହି ସମୟରେ ମଧ୍ୟ ସେ ଗୁପ୍ତରେ କ୍ରାନ୍ତିକାରୀ ମାନଙ୍କ ସହ ସମ୍ପର୍କରେ ଥିଲେ। ଏହି ସମୟରେ ସେ ସାମାଜିକ ସମତା ଆଣିବାପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ। ଜେଲରେ ଥିବା ସମୟରେ ହିନ୍ଦୁତ୍ୱ କୁନେଇ ଲେଖିଥିଲେ "ହିନ୍ଦୁ କହିଲେ କୌଣସି ନିର୍ଦ୍ଦିଷ୍ଟ ଜାତି ବା ଧର୍ମ ନୁହେଁ ହିନ୍ଦୁସ୍ଥାନ(ଭାରତ) ରେ ବାସ କରୁଥିବା ସମସ୍ତ ଅଧିବାସୀ ଯେଉଁମାନଙ୍କ ମାତୃଭୂମି ପିତୃଭୂମି ତଥା ପୁଣ୍ୟଭୂମି ହିନ୍ଦୁସ୍ଥାନ(ଭାରତ) ସେମାନେ ହିନ୍ଦୁ। "
                         ୧୯୩୭ ରୁ ମୁକ୍ତ ହେବାପରେ କଂଗ୍ରେସ ର ସଦସ୍ୟତା ସ୍ବୀକାର ନକରି ସାବରକର୍ ହିନ୍ଦୁ ମହାସଭାର ଅଧ୍ୟକ୍ଷ ପଦ ୧୯୪୩ ପର୍ଯ୍ୟନ୍ତ ସମ୍ଭାଳିଥିଲେ। ୧୯୩୯ ରେ ହାଇଦ୍ରାବାଦ୍ ର ନିଜାମ୍ ଙ୍କ ହିନ୍ଦୁ ବିରୋଧୀ ନୀତି ବିରୁଦ୍ଧରେ ହିନ୍ଦୁ ମହାସଭା ର ଆନ୍ଦୋଳନର ମୂଖ୍ୟ ସୂତ୍ରଧର ଥିଲେ ସାବରକର୍ ,ଯାହା ଫଳରେ ହିନ୍ଦୁ ମାନଙ୍କୁ ରାଜନୀତି କ୍ଷେତ୍ରରେ ୫୦% ସଂରକ୍ଷଣ ମିଳିଥିଲା। ୧୯୪୭ ଡିସେମ୍ବର ୧୦ ରେ ପାଲେଷ୍ଟାଇନ ରେ ଜୀଉ ମାନେ କରୁଥିବା ସ୍ଵତନ୍ତ୍ର ରାଷ୍ଟ୍ର ଆନ୍ଦୋଳନ କୁ ସେ ସମର୍ଥନ କରୁଥିଲେ କିନ୍ତୁ ସେତେବେଳର ସରକାର ତୁଷ୍ଟିକରଣପାଇଁ ଜାତିସଂଘରେ ଏହାକୁ ବିରୋଧ କରୁଥିଲେ। ମହାତ୍ମା ଗାନ୍ଧୀଙ୍କ ହତ୍ୟା ଓ ହିନ୍ଦୁ ମହାସଭା ର ସଂପୃକ୍ତି କହି ବୀର ସାବରକର୍ ଙ୍କୁ ଗିରଫ କରାଯାଇଥିଲା କିନ୍ତୁ ଏହା ଅମୂଳକ କହି ବିଚାରାଳୟ ତାଙ୍କୁ ନିର୍ଦ୍ଦୋଷ ରେ ଖଲାସ୍ କରିଥିଲେ। ସାବରକର୍ ହିନ୍ଦୁତ୍ୱବାଦୀ ହେଲେ ହେଁ ଅନ୍ୟ ଧର୍ମ କୁ ମଧ୍ୟ ସମ୍ମାନ ଦେଉଥିଲେ, ସେ ସିନ୍ଧୁ ପ୍ରଦେଶରେ ମୁସଲିମ ଲିଗ୍ ସହ ହିନ୍ଦୁ ମହାସଭା ର ମେଣ୍ଟ ମଧ୍ୟ କରିଥିଲେ।
                 ଜୀବନରେ ସାବରକର୍ ଙ୍କର ଏକମାତ୍ର ସ୍ବପ୍ନ ଥିଲା "ଅଖଣ୍ଡ ଭାରତ" ଯାହାକି ସ୍ବପ୍ନ ହୋଇ ରହିଗଲା। ଜୀବନର ଶେଷଭାଗରେ ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପରି ସଂଗଠନ ସହ ଜଡ଼ିତ ଥିଲେ। ସ୍ଵାଧୀନତା ପରେ ମଧ୍ୟ ଅନ୍ୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ରୁ ବୀର ସାବରକର୍ ଙ୍କୁ ବଞ୍ଚିତ କରାଯାଇଥିଲା। ଭାରତ ର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲବହାଦୂର୍ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କୁ ପେନସନ ଦିଆଯାଇଥିଲା। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକ ରୁ ତାଙ୍କୁ ଦୁରେଇ ରଖାଯାଉଥିଲା।
                       ଜୀବନର ଶେଷ ସମୟରେ ସେ ଖାଦ୍ୟ ପେୟ ତ୍ୟାଗ କରି "ଆତ୍ମାର୍ପଣ" କରିଥିଲେ,ମୃତ୍ୟୁ ପୂର୍ବରୁ ସେ "ଆତ୍ମହତ୍ୟା ନୁହେଁ ଆତ୍ମାର୍ପଣ" ନାମରେ ଏକ ଲେଖା ଲେଖିଥିଲେ। ୨୬ ଫେବୃଆରୀ ୧୯୬୬ ରେ ତାଙ୍କ ମୃତ ପରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ୨୦୦୦ରୁ ଅଧିକ ସ୍ଵୟଂସେବକ ତାଙ୍କ ଅନ୍ତିମ ଯାତ୍ରା ରେ ସାମିଲ୍ ହୋଇ ତାଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରେଡ଼ିଓ ରେ ବୀର ସାବରକରଙ୍କ ତ୍ୟାଗ,ବଳିଦାନ ଓ ଦେଶଭକ୍ତି କୁ ପ୍ରଶଂସା କରି ସମସ୍ତଙ୍କୁ ତାଙ୍କ ପରି ହେବାକୁ କହିଥିଲେ। ୧୯୭୦ ରେ ସାବରକରଙ୍କ ସମ୍ମାନରେ ଡାକଟିକଟ ମଧ୍ୟ ପ୍ରଚଳନ କରିଥିଲେ। ସେ ରହୁଥିବା ଜେଲକୁ ସାବରକର୍ ସ୍ମୃତିସ୍ମାରକୀ କରାଯାଇଛି। ବ୍ରିଟେନ ସରକାରଙ୍କ ପକ୍ଷରୁ ସାବରକର୍ ରହୁଥିବା ଇଣ୍ଡିଆହାଉସ୍ କୁ ମଧ୍ୟ ତାଙ୍କ ସ୍ମୃତିସ୍ମାରକୀ କରାଯାଇଛି। ୨୦୦୨ ରେ ପୋର୍ଟବ୍ଲେୟର ର ବିମାନବନ୍ଦରକୁ ବୀର ସାବରକରଙ୍କ ନାମାନୁସାରେ ନାମକରଣ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥରେ ପୁନେରେ ସାବରକର୍ ଜୟନ୍ତୀ ଅବସରରେ କହିଥିଲେ "ସାବରକର୍ ମାନେ ତତ୍ତ୍ଵ, ସାବରକର୍ ମାନେ ତର୍କ, ସାବରକର୍ ମାନେ ତାରୁଣ୍ୟ, ସାବରକର୍ ମାନେ ତେଜ, ସାବରକର୍ ମାନେ ତ୍ୟାଗ୍ ଏବଂ ସାବରକର୍ ମାନେ ତପ। "
                          ଏବେ ପ୍ରଶ୍ନ ଉଠୁଛି ତାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୁପେଶ୍ ବଘେଲା ଯେଉଁ ବୟାନ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଅମୂଳକ ଏକଥା ସେ ବି ଭଲ ଭାବରେ ଜାଣିଥିବେ ଦେଶର ବିଭାଜନ ପାଇଁ ପ୍ରକୃତରେ କେଉଁମାନେ ଦାୟୀ? ଧର୍ମଭିତ୍ତିରେ ବିଭାଜନ ସୟଦ୍ ଅହମଦ ଖାନ୍ ଙ୍କ ନୀତି ଥିଲା। ଦେଶ ବିଭାଜନ କୁ ନେଇ ସମ୍ବିଧାନ ପ୍ରଣେତା ବାବା ସାହେବ୍ ତାଙ୍କ ପୁସ୍ତକ "Pakistan and the partition of India (1947)" ରେ ଏକଥା ଉଲ୍ଲେଖ କରିଛନ୍ତି ଯେ "ଭାରତ ର ବିଭାଜନକୁ ବୀର ସାବରକର୍ ପ୍ରଥମରୁ ବିରୋଧ କରି ଆସୁଥିଲେ, ସାବରକରଙ୍କ ମତରେ ଭାରତ ମଧ୍ୟରେ ଦୁଇଟି ରାଷ୍ଟ୍ର(ସାଂସ୍କୃତିକ ଓ ଧାର୍ମିକ ଆଧାରରେ) ବସିବା ଦରକାର କିନ୍ତୁ ଭାରତ ଦୁଇଟି ରାଷ୍ଟ୍ରରେ ପରିଣତ ହେବା ଅନୁଚିତ୍।"
                       ଆଉ ରହିଲା ଦ୍ଵିତୀୟ ଆରୋପ କ୍ଷମାପ୍ରାର୍ଥନା କରିବା ଯାହାକୁ ନେଇ ସେମାନେ ପାଠ୍ୟପୁସ୍ତକ ରେ ମହାପୁରୁଷଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି ଆଉ ଯୁକ୍ତି ରଖିଛନ୍ତି ଇତିହାସକୁ ଅନୁଧ୍ୟାନ କରି ସେମାନେ ଏପରି କରିଛନ୍ତି। ସେମାନେ ଜୟନ୍ତ ଯୋଗଲେକରଙ୍କ ପୁସ୍ତକ "The father of Hindu nationalism" ଦେଖନ୍ତୁ ଯେଉଁଠାରେ ସ୍ପଷ୍ଟ ଭାବେ ଉଲ୍ଲିଖିତ ଅଛି "ଇଂରେଜ ମାନଙ୍କୁ କ୍ଷମାପ୍ରାର୍ଥନା ବୀର ସାବରକରଙ୍କ ରଣନୀତି ର ଏକ ଅଂଶଥିଲା ଯେପରି ଛତ୍ରପତି ଶିବାଜୀ ମହାରାଜ ଔରଙ୍ଗଜେବ ଙ୍କୁ ଚିଠି ଲେଖି ଆଗ୍ରା ନିମନ୍ତ୍ରଣ କରିଥିଲେ।" ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମଧ୍ୟ ଅନେକ ନେତା ଏହିପରି ରଣନୀତି ଆପଣାଇଥିଲେ।
                           ବର୍ତ୍ତମାନର ଦେଶର ପରିସ୍ଥିତି କୁ ଦେଖିଲେ ଭାରି ଦୁଃଖ ଲାଗୁଛି ଯେଉଁମାନେ ଦେଶର ସ୍ଵାଧୀନତା ସଂଗ୍ରାମରେ ନିଜର ଜୀବନ ବାଜି ଲଗାଇଦେଲେ, ସେମାନଙ୍କ ତ୍ୟାଗ ଓ ବଳିଦାନ ର କଣ କୌଣସି ମୂଲ୍ୟ ନାହିଁ। ଜୀବନବ୍ୟାପୀ ସଂଗ୍ରାମ କରିଥିବା ବ୍ୟକ୍ତି କଣ ମୃତ୍ୟୁ ପରେ ବି ଟିକେ ସମ୍ମାନ ପାଇବନି। କେବଳ ଯେ ବୀର ସାବରକର୍ ନୁହନ୍ତି ଆହୁରି ଅନେକ ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି, ଯେଉଁମାନେ ବିଭିନ୍ନ ରାଜନୈତିକ ଗୋଷ୍ଠୀଙ୍କ କୁତ୍ସିତ ରାଜନୈତିକ ଅଭିସନ୍ଧି ଆଗରେ ବଳି ପଡ଼ୁଛନ୍ତି। କିଛି ରାଜନୈତିକ ଦଳ ଯେଉଁ ବିଚାରଧାରାକୁ ନେଇ ଗଠିତ ହୋଇଥିଲା ଏବେ ସେ ବିଚାରଧାରା ଠାରୁ ଅନେକ ଦୂରରେ। ସମସ୍ତ ରାଜନୈତିକ ଦଳ କୁ ଏତିକି ଅନୁରୋଧ ନିଜ ଶସ୍ତା ରାଜନୀତି ପାଇଁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ମୂଲ୍ୟବୋଧ ତ୍ୟାଗ ସଂଘର୍ଷ କୁ ବଳି ନ ପକାନ୍ତୁ।

*ଛାତ୍ର ସନ୍ଦେଶ ପତ୍ରିକା ର ଜୁନ୍ ୨୦୧୯ ସଂଖ୍ୟାରେ ପ୍ରକାଶିତ।
*ଆହ୍ୱାନ E-ପତ୍ରିକା ର ଜୁନ ୨୦୧୯ ସଂଖ୍ୟାରେ ପ୍ରକାଶିତ। 

Post a Comment

Post a Comment (0)

Previous Post Next Post
Free Shubhdristi App Download Now