ସିଗୁ

 ସିଗୁ - ସ୍ୱାଗତିକା ମହାଙ୍କୁଡ

କୌଣସି ସମୟରେ କିଛି ସୁନ୍ଦର ଜିନିଷ, ଲୋଭନୀୟ ଜନ୍ମଦିନର ସାଜ୍ଜସଜ୍ଜା ବା ସୁସ୍ୱାଦୁ ଖାଦ୍ୟ ଦେଖି  ଖୁସିହୋଇଯିବା ସମୟରେ ସିଗୁର ହଠାତ୍ ମନେ ପଡିଯାଏ , 'ସେ ସେହି ବଡଘରର ପିଲା ନୁହଁ ବରଂ ସେଇଠିର ଚାକର ବୋଲି', ଏସବୁ ଜିନିଷ ପ୍ରତି ତାହାର କୌଣସି ମଧ୍ୟ ଅଧିକାର ନାହିଁ। ବାପା ଅକାଳରେ ମଲା ବୋଲି ତାର ପନ୍ଦର ଦିନ ହେଇନି ଏଇ ମଣିଷର ଜନ୍ତୁ ଖାନାରେ ସେ ଛନ୍ଦି ପଡିଲା। ଭାଗ୍ୟକୁ ଆଦରି ସେ ଚାକର ହୋଇ ରହିଗଲା। ଆରମ୍ଭରେ ସେ ଚାକରର ସୀମା ଜାଣି ନପାରି ଥରେ ପିଲାଙ୍କ ପ୍ଲେଟ ରୁ ମିଠା ପାଇଁ ହାତ ବଢ଼ାଇଥିଲା ବୋଲି ମ୍ୟାଡମଙ୍କ ମାଡଟା ଏବେଯାଏଁ ଭୁଲିପାରୁନି। 

ଆରମ୍ଭରେ ତାକୁ ନିଜ ପାଖ ବୟସର ମ୍ୟାଡମଙ୍କ ଦୁଇ ପିଲାଙ୍କୁ ଦେଖି ଭଲ ଲାଗୁଥିଲା। ଭାବୁଥିଲା ଭାଗ୍ୟ କରିକି ଏଇ ଘରକୁ ଆସିଛି । ଏମିତି ସୁନ୍ଦର ଘର ପରିବେଶ ତା ଗାଆଁର କେଉଁ ପିଲା କେବେ କେଉଁଠି ଦେଖିନଥିବେ। ପର୍ବ ବେଳକୁ ଯେବେ ଗାଆଁ କୁ ଯିବ ସେତେବେଳେ ତା ସବୁ ସାଙ୍ଗ ମାନଙ୍କୁ ଏଇ ବଡ ଘରର କଥା କହିବ ବୋଲି ଖୁସି ହୋଇଗଲା । 

ତା ବାପାର ଦଶାହ ଦିନ ମ୍ୟାଡମ୍ ଯାଇ ମାଆକୁ କେତେ ବିନତି କରିବା ପରେ ତାକୁ ନିଜ ସହ ସହରକୁ ଆଣି ପାରିଥିଲେ । ନଅ ବର୍ଷର ସିଗୁକୁ ନିଜ ପୁଅ ପରି ରଖିବେ ଓ ଥରେ ଅଧେ ଗାଆଁକୁ ପଠାଇବେ, ପାଖରେ ରଖି ପାଠ ପଢ଼ାଇବେ ବୋଲି କେତେ ପ୍ରତିଶ୍ରୁତି ଦେଇଥିଲେ।

ମ୍ୟାଡମ୍ ଓ ମାଆର କଥାବାର୍ତ୍ତା ସିଗୁ ଶୁଣୁଥିଲା। ମ୍ୟାଡମ୍ ଏତେ ବିନତି କରିବା ପରେ ମାଆ କାହିଁକି ଛାଡୁନି ଭାବି ସେ ତା ମାଆ କୁ ମିଛଟାରେ ରାଗିଗଲା ଓ ମ୍ୟାଡମ୍ ଙ୍କ ସହ ଯିବ ବୋଲି କେତେ ଅଳି କରିଥିଲା । ମ୍ୟାଡମ୍ ଆସିଥିବା ଚକମକିଆ କାର ଆଉ ତାଙ୍କର କଥାରେ ପଡି ସେ ନିଜ ମାଆ ଆଉ ନିଜ ଗାଆଁକୁ ତୁଚ୍ଛ ମନେକରି ଚାଲିଆସିଥିଲା ସହରକୁ। 


ଆସିବା ଦିନରୁ ଆଜି ଯାଏଁ ତା' ଉପରେ କାମର ଭାର କମ୍ ହୋଇନି। ଆରମ୍ଭର କେତେ ଦିନ ଖାଲି ଘରର ଛୋଟ ମୋଟ କାମ ଯେପରି ରୋଷେୟା ସହ ବଜାର ଯାଇ ସଉଦା ଆଣିବା ତା ସହ ରୋଷେଇ ଶିଖିବା, ଆଉ ସଞ୍ଜ ବେଳେ ଚାକର ସହ ଘର ସଫା କରିବା ଭଳି ଅଳ୍ପ କାମ ଶିଖିବା ପରେ ମଧ୍ଯ ଆଜିର ଦିନ ଅପେକ୍ଷା ତା ପାଖରେ ଅଳ୍ପ ବହୁତ ବଳକା ସମୟ ରହୁଥିଲା । ଯେତେବେଳେ ପିଲାଙ୍କୁ ପଢାଇବା ପାଇଁ ଘରକୁ ଶିକ୍ଷକ ଆସନ୍ତି ସେତେବେଳେ ଯାଇ ମ୍ୟାଡାମଙ୍କୁ ପାଠ ପଢିବା ପାଇଁ ବହି ମାଗିଲା ବୋଲି ଯାଇ ଯାହା ମାଡ ଖାଇଲା ତା ଆଗରୁ କେବେ ତା ଘରେ ଏମିତି ମାଡ ଖାଇନଥିଲା । ଏଇ ଘରକୁ ଆସିବା ପୂର୍ବରୁ ସେ ତା ମାଆ କଥା କେବେ ସେତେ ମନେ ପକେଇ ନଥିଲା, ଯେତେ ସେଦିନ ରାତିରେ ମନେ ପକେଇଥିଲା । ତା ମାଆକୁ ତ ମ୍ୟାଡମ୍ କହିଥିଲେ ତାହାର ପାଠ ପଢା ଦାୟିତ୍ଵ ନେବେ ବୋଲି, ହେଲେ ଘର ଶିକ୍ଷକଙ୍କଠାରୁ ପାଠ ନଶିଖିଲେ କଣ ହେଲା ଗ୍ରୀଷ୍ମ ଅବକାଶ ପରେ ମ୍ୟାଡମ୍ ତାକୁ ସ୍କୁଲ ନିଶ୍ଚତ ପଠାଇବେ ଭାବି ସେଦିନ ଚୁପ୍ ରହିଲା। ଗ୍ରୀଷ୍ମ ଅବକାଶ ସରି ସ୍କୁଲ ଆରମ୍ଭ ହୋଇଗଲା । ସିଗୁ ମ୍ୟାଡମଙ୍କ କାରରେ ଡ୍ରାଇଭର୍ ସହ ମିଶି ସ୍କୁଲ ପର୍ଯ୍ୟନ୍ତ ତାଙ୍କ ପିଲାମାନଙ୍କୁ ଛାଡିବାକୁ ଓ ଆଣିବାକୁ ଯାଇପାରିଲା କିନ୍ତୁ ତାଙ୍କ ଭଳି ପାଠ ପଢିବାକୁ ଯାଇପାରିଲା ନାହିଁ। ଚକମକ କାର ଠୁ ଅଧିକା ମ୍ୟାଡମ୍ ଙ୍କ କଥା ସେଦିନ ଅଧିକ ଝଟକି ଥିବା କଥା ଆସ୍ତେ ଆସ୍ତେ ସେ ଅନୁମାନ କରିବାରେ ଲାଗିଲା। 


ମ୍ୟାଡମ୍ ଙ୍କ ଅସଲ ଉଦ୍ଦେଶ୍ୟ ସେ ଧୀରେ ଧୀରେ ଜାଣିବାକୁ ପାଇଲା। ତାକୁ ପୁଅ ପରି ରଖିବାକୁ ତା ମାଆକୁ କଥା ଦେଇଥିବା ଏଇ ମ୍ୟାଡାମଙ୍କୁ ସେ ନିଜ ମାଆ ସହ ତୁଳନା କରି ବେଶି ଭଲ ବୋଲି ଭାବୁଥିଲା। କିନ୍ତୁ ଆସ୍ତେ ଆସ୍ତେ ସେ ଜାଣିପାରିଲା ଏଇ ମ୍ୟାଡମ୍ ତା ମାଆକୁ ମିଛ କହି ତାକୁ ଖାଲି ଚାକର ହିସାବରେ ସହରକୁ ନେଇ ଆସିଲେ। ମନରେ ମନରେ ସେ ନିଷ୍ପତ୍ତି ନେଇଥିଲା; ଛୁଟିରେ ଗାଆଁକୁ ଗଲେ ଆଉ ସହରକୁ ଜମା ଫେରିବନି। ହେଲେ ଆଜିକୁ ପାଞ୍ଚ ପାଞ୍ଚଟି ପର୍ବ ସରିଗଲାଣି କିନ୍ତୁ ମ୍ୟାଡମଙ୍କ କଟକଣାରେ ସିଗୁ ଆଉ ଗାଆଁକୁ ଯାଇ ପାରିଲାନି । ଦିନକୁ ଦିନ ସେ ଘର କଥା ବେଶି ମନେ ପକାଇଲା। 

ଏମିତି ଦିନ କାଟିବା ସମୟରେ ହଠାତ୍ ଦିନେ ସକାଳୁ ମ୍ୟାଡମ୍ ତାକୁ ତାଙ୍କ ପୁଅର ସୁନ୍ଦର୍ ନୂଆ ଡ୍ରେସ୍ ପିନ୍ଧିବାକୁ କହି ପ୍ରଥମ ଥର ପାଇଁ ତା ସହ ମିଠାରେ ଦୁଇ ପଦ କଥା ହେଲେ। ଏହା ଦେଖି ସେ ସ୍ଵପ୍ନ ବୋଲି ଭାବୁଥିଲା କିନ୍ତୁ ତାହା ସତ ଥିଲା । ମ୍ୟାଡମ୍ ତାକୁ ଅତୀତରେ କେତେ କାମ କରାଇଛନ୍ତି , ମାଡ ଦେଇଛନ୍ତି ତାହା ତାକୁ ଭୁଲିଯିବାକୁ ଭାରି କଅଁଳିଆ ସ୍ଵରରେ କଥା କହିବାକୁ ଲାଗିଲେ। ସିଗୁ ଖୁସି ହୋଇ ସେଦିନ ମ୍ୟାଡମ୍ ଦେଇଥିବା ନୂଆ ଡ୍ରେସ୍ ପିନ୍ଧିଲା ଓ ପ୍ରଥମ ଥର ପାଇଁ ମ୍ୟାଡମ୍ ଙ୍କ ପିଲା ମାନଙ୍କ ସହ ବସି ଡାଇନିଂ ଟେବୁଲରେ ଭଲ ଖାଇବା ଖାଇଲା। ସେ ସମୟରେ କିଛି ଅଫିସର ବାବୁ ଆସି ତାକୁ ବିଭିନ୍ନ ପ୍ରଶ୍ନ କରିବାରେ ଲାଗିଲେ । ସବୁ ପ୍ରଶ୍ନର ଉତ୍ତର କିନ୍ତୁ ସେ ମ୍ୟାଡମ୍ ଙ୍କ ଆଦେଶ ଅନୁସାରେ ଦେଲା। 

ମ୍ୟାଡମ୍ ଓ ସାର୍ ଉଭୟେ ବହୁତ ଭଲ ଓ ତାକୁ ଘର ସଦସ୍ୟ ଭଳି ବ୍ୟବହାର କରନ୍ତି ବୋଲି ସିଗୁ ସେମାନଙ୍କୁ କହିବା ପରେ ସେ ଅଫିସର ବାବୁ ମାନେ ମ୍ୟାଡମଙ୍କୁ କ୍ଷମା ମାଗି ଘରୁ ଯିବାର ବାକି ମ୍ୟାଡମ୍ ପୁଣି ଥରେ ତା ସହ ଆଗ ଭଳି ବ୍ୟବହାର କରିବା ଆରମ୍ଭ କରିଦେଲେ। ସେଦିନ କଣ ଘଟିଲା ସେ କଥା ସେ ଜମା ଜାଣିପାରିଲା ନାହିଁ। ଘର ଚପରାସି କହିଲା ସେ ବାବୁ ମାନେ କୁଆଡେ ତାକୁ ଶିଶୁ ଶ୍ରମିକ ବୋଲି ଜାଣିପାରି ସତ୍ୟତାର ତଦନ୍ତ ପାଇଁ ଘରକୁ ଆସିଥିଲେ ଆଉ ଯଦି ସେ ସବୁ ସତ କଥା କହିଦିଅନ୍ତା ତେବେ ମ୍ୟାଡମଙ୍କୁ କୁଆଡେ ଜେଲ ହେଇଥାନ୍ତା। ଏସବୁ ଶୁଣି ସେ ଜାଣିଗଲା ଯେ ସକାଳେ ଯାହା ସବୁ ହୋଇଥିଲା ସେସବୁ ମିଛ ଥିଲା। ତାକୁ ମ୍ୟାଡମ୍ କେବେ ମଧ୍ୟ ନିଜ ପୁଅ ବୋଲି ଭାବିବେ ନାହିଁ । 


ମ୍ୟାଡମ୍ ତା ମାଆ କୁ ଠକିଲା ଭଳି ତାକୁ ମଧ୍ୟ ଠକି ନେଇଥିବା ସେ ଭଲ ଭାବରେ ଜାଣିଗଲା। ନିଷ୍ପାପ ମନରେ ସେ ବହୁ କଷ୍ଟ ଚାପି ରଖିଲା। ମାଆ କୁ ଦେଖିବାକୁ ତା ମନରେ ଇଛା ବଢିବାରେ ଲାଗୁଥିଲେ ମଧ୍ୟ ମାଡ ଡର ରେ ସେ ମ୍ୟାଡମ୍ ଙ୍କୁ କିଛି କହି ପାରୁନଥିଲା। 

ଏପରି ଭାବରେ ତା ମନରେ ଗୋଟିଏ ଗୋଟିଏ କଷ୍ଟ ଗୁନ୍ଥି ହେବାରେ ଲାଗିଲା । ନିଜ ଗାଆଁ କୁ ଛୋଟ,ଘରକୁ ଅସନା ଓ ମାଆ କୁ ଗନ୍ଧିଆ ବୋଲି ଭାବି ଏଇ ସହର ରେ ଆସିବା ପରେ ସତ କଣ ତାହା ସେ ଜାଣିପାରିଲା । 


ଘର ମାଲିକ ଯେବେ ପିଲାଙ୍କ ପାଇଁ ଭଳି କି ଭଳି ଜିନିଷ ଆଣନ୍ତି ଆଉ ନୂଆ ଜିନିଷ ଆସିବା ପରେ ତାଙ୍କ ପୁରୁଣା ଜିନିଷ କାଳେ ତାକୁ ମିଳିଯିବ ଆଶାରେ ତାର ଅଧା ଦିନ ସରିଯାଏ। 

ସିଗୁ ହଠାତ୍ ମନେ ପକାଇବାରେ ଲାଗିଲା, 'ଯେତେବେଳେ ତା ବାପା ଏଇଠି କାମ କରୁଥିଲା ସେତେବଳେ ତ ଗାଆଁ କୁ କେତେ ଜିନିଷ ଆଣୁଥିଲା, ତାହା ବୋଧହୁଏ ଏମାନଙ୍କ ପୁରୁଣା ଜିନିଷ ହିଁ ଥିଲା। ବାପା ୟାଙ୍କ ଘରେ ଚାକର ସିନା ଥିଲା ହେଲେ ନିଜ ଘରେ ସେ ତାଙ୍କ ସବୁ ପାଇଁ ରାଜା ଠାରୁ କମ୍ ନଥିଲା। ବାପା ଘରକୁ ଫେରିବା ବେଳେ ମାଆ ପାଇଁ ଫୁଲ, ଭାଇଭଉଣୀ ଙ୍କ ପାଇଁ ମିଠା ତାଙ୍କ କୁକୁର ବେଲୁ ପାଇଁ ପୁଡାଏ ବିସ୍କୁଟ ତ ନିହାତି ଆଣୁଥିଲା। 

ଚୁପ୍ ହୋଇ ନିଜ କାମ ସାରି ଖୋଲା ଆକାଶ ତଳେ ଯାଇ 

ଧୀର ମନରେ ଅତ୍ୟନ୍ତ କଷ୍ଟରେ ସେ ଭାବିଲା କଣ ଏଇ ବଡ ଘରେ ତାର କୁକୁର ବେଲୁ ପରି ମଧ୍ୟ ଜାଗା ନାହିଁ  ??' 


ଦିନକୁ ଦିନ ସେ ସବୁ ଭଲ ଭାବରେ ବୁଝିପାରିଲା । ପ୍ରକୃତରେ ତା ଗାଆଁ ଛୋଟ କିନ୍ତୁ ଏଇ ବଡ ସହର ଅପେକ୍ଷା ସେଇଠି ଶାନ୍ତି ଅଧିକ। ଘର ତାହାର ମ୍ୟାଡମଙ୍କ ଏଇ ଘର ଅପେକ୍ଷା ଅସନା ସତ କିନ୍ତୁ ସେ ଘରେ ଥିବା ଖୁସି ଏଇ ସୁନ୍ଦର ଘର ଠାରୁ ଅଧିକ। ଆଉ ତା ମାଆ ଯିଏ ତାକୁ ମ୍ୟାଡମ୍ ତୁଳନାରେ କଳା ଆଉ ଗନ୍ଧିଆ ଲାଗୁଥିଲା ପ୍ରକୃତରେ ତା ମାଆ ମନ ପରି ସଫା ମନ ଏଇ ମ୍ୟାଡମ୍ ର କାହିଁ ?? ପ୍ରତ୍ୟେକ ଛୋଟ ଛୋଟ କଥାରେ ସିଗୁ ନିଜ ପୂର୍ବ ଜୀବନ ସହ ବର୍ତ୍ତମାନକୁ ତୁଳନା କରିବାରେ ଲାଗିଲା ଓ ଘର କଥା ମନେପକାଇ ଥରେ ଥରେ ନିଦରେ ମଧ୍ୟ କାନ୍ଦି ଉଠିଲା। 


ଦିନେ ଡ୍ରାଇଭର ସହ ମିଶି ଗାଡି ଧୋଇବା ବେଳେ ତା ମାଆ କୁ ଘର ବାହାରେ ଥିବାର ଦେଖି ଖୁସିରେ ପାଗଳ ହୋଇ ସିଗୁ ତା ମାଆ ଆଡକୁ ଧାଇଁ ଯିବା ବାକି ଉପରୁ ସବୁ ଦେଖୁଥିବା ମ୍ୟାଡମ୍ ଚପରାଶିକୁ କହି ତା ମାଆକୁ ଘଉଡାଇ ଦେଲେ। 


ମାଆକୁ ପାଖରୁ ଦେଖି ତା ପାଖରେ ପହଞ୍ଚି ପାରି ନଥିବାରୁ ତା କଷ୍ଟ ଆହୁରି ବଢି ଯାଇଛି। ମ୍ୟାଡମଙ୍କ ଅତ୍ୟାଚାର ଦିନ କୁ ଦିନ ତାପାଇଁ ଅସହ୍ୟ ହୋଇପଡିଲା । 


ଦିନେ ସଉଦା ଆଣି ଯିବା ସମୟରେ ରେ ମ୍ୟାଡମଙ୍କ ଘରେ ଆସିଥିବା ଅଫିସର ବାବୁଙ୍କୁ ଦେଖି ପ୍ରାଣ ବିକଳରେ ଚଳନ୍ତା ଗାଡିରୁ ଡେଇଁ ପଡିଲା ସିଗୁ । ଖଣ୍ଡିଆ ଖାବରା  ସିଗୁକୁ ଦେଖି ସବୁକଥା ଠିକ୍ ଠିକ୍ ଅନୁମାନ କରିପାରିଲେ ଅଫିସର ବାବୁ। 

କିଛି ସମୟ ମଧ୍ୟରେ ସିଗୁ ସହ ଯାଇ ଅଫିସର ବାବୁ ଓ ପୋଲିସ ଅଧିକାରୀ ମ୍ୟାଡମଙ୍କ ଘରେ ଚଢାଉ କଲେ। ହଠାତ୍ ଏମାନଙ୍କୁ ଦେଖି ମ୍ୟାଡମ୍ ଚମକି ପଡ଼ିଲେ। ଚୋରର ଚୋରି ଧରା ପଡିଲା ପରି ଏକ ଦମ୍ ନୀରବିଗଲେ ମ୍ୟାଡମ୍, କିଛି ସମୟରେ ମିଡିଆ ଆସି ମ୍ୟାଡମଙ୍କ କାର୍ଯ୍ୟକଳାପକୁ ନେଇ ବ୍ରେକିଂ ନ୍ୟୁଜ ବନାଇଲେ। ସେଦିନ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅମାନୁଷିକ କାର୍ଯ୍ୟକଳାପ ଉପରୁ ପରଦା ଉଠାଇବା ସହ ତା' ପରି ଅନ୍ୟ କେତେକ ପାଖ ପଡ଼ିଶାର ଶିଶୁ ଶ୍ରମିକଙ୍କ ଠିକଣା ଦେଇ ସେମାନଙ୍କୁ ମଧ୍ୟ ବଞ୍ଚାଇ ଅନ୍ୟ କିଛି ବଡଲୋକଙ୍କ ନାମ ସବୁ ସମାଜ ସାମ୍ନାକୁ ଆଣିପାରିଥିଲା ସିଗୁ। 

      

ଭବିଷ୍ୟତରେ ଏପରି କୌଣସି  ସ୍ଥିତି ଆସିଲେ କିମ୍ବା କାମ କରିବାପାଇଁ କିଏ ପ୍ରସ୍ତାବ ଦେଲେ ସୁଦ୍ଧା ଶିଶୁ ମାନଙ୍କ ପାଇଁ ଥିବା ହେଲ୍ପ୍ ଲାଇନ୍ ନମ୍ବର 1098 ରେ କଲ୍ କରି ଯଥା ବିଷୟରେ ଅବଗତ କରାଇବାକୁ କହି ଗାଆଁକୁ ଯାଇ ପାଠ ପଢିବାପାଇଁ ସିଗୁକୁ ଉତ୍ସାହିତ କରିଲେ ଅଫିସର ବାବୁ। ପରେ ନିଜେ ଯାଇ ସିଗୁକୁ ତା ମାଆ ପାଖରେ ନେଇ ଛାଡି ଦେଇ ଆସିଲେ । 


ଅନ୍ତରେ ସିଗୁ ଯାଇ ନିଜର ସବୁଠାରୁ ସୁରକ୍ଷିତ ଜାଗାରେ ପହଞ୍ଚିଗଲା.. ତା ଗାଆଁ ଘରେ, ତା ମାଆ ପାଖରେ..। ମାଆକୁ ପାଖରେ ପାଇ ଅବିଳମ୍ବେ କ୍ଷମା ମାଗି କୁଣ୍ଢାଇ ପକାଇଲା ସିଗୁ। ଉଭୟ ମାଆ ଓ ପୁଅ ନିଜ ହଜିଲା ଧନକୁ ପାଇଲା ପରି ଖୁସି ହୋଇ ଦୁହେଁ ଦୁହିଁଙ୍କୁ ଜାବୁଡି ଧରି ମନ ଖୋଲି କାନ୍ଦିଲେ । ଭଗବାନଙ୍କୁ ଓ ଅଫିସର ବାବୁଙ୍କୁ ଧନ୍ୟବାଦ ଜଣାଇ ଉଭୟେ ଆଶ୍ୱସ୍ତି ଲାଭ କଲେ ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now