ସାକ୍ଷାତକାର : ବାଲୁକାଶିଳ୍ପୀ ରୁବେଲାଲ ପ୍ରଧାନ

ସାକ୍ଷାତକାର : ବାଲୁକାଶିଳ୍ପୀ ରୁବେଲାଲ ପ୍ରଧାନ
ରୁବେଲାଲ ପ୍ରଧାନ ଆଜିର ଯୁବପିଢି ପାଖରେ ଏକ ପରିଚିତ ନାମ । ଅନୁଗୁଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ରୁବେଲାଲ ଆଜି ନିଜର ଚିତ୍ରକଳା ମାଧ୍ୟମରେ କେବଳ ଅନୁଗୁଳ କି ଓଡ଼ିଶା ନୁହେଁ ବରଂ ସାରା ଦେଶ ପାଇଁ ଗୌରବ ର ପରିଚୟ । ନିଜର ସଚେତନତା ସୃଷ୍ଟିକାରୀ ବାଲୁକା କଳା ପାଇଁ ରୁବେଲାଲ ସବୁଠି ପରିଚିତ । ଏତେ କମ୍‌ ବୟସରୁ ନିଜର କଳା ମାଧ୍ୟମରେ ବିଭିନ୍ନ ସମ୍ମାନର ଅଧିକାରୀ ହେଉଛନ୍ତି ରୁବେଲାଲ ୨୨ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଗ୍ଲୋବାଲ ବୁକ୍ ଅଫ୍ ରେକର୍ଡସ୍ ଆଦିରେ ନିଜର ବାଲୁକା କଳାକୁ ସାମିଲ କରିବା ସହ ବିଭିନ୍ନ ଜାତୀୟ ତଥା ଆନୁର୍ଜାତୀୟ ସ୍ତରରେ ସମ୍ମାନର ଅଧିକାରୀ ହେଉଛନ୍ତି ରୁବେଲାଲ । ତେବେ କେବଳ ବାଲୁକା ଶିଳ୍ପ ବା ସ୍ୟାଣ୍ଡ୍ ଆର୍ଟ ମଧ୍ୟରେ ନିଜକୁ ବାନ୍ଧି ନ ରଖି ସ୍ୟାଣ୍ଡ ଆନିମେସନ, ସ୍କ୍ରାପ୍ ଆର୍ଟ, ଟୟ ପ୍ରଡକ୍ସନ ତଥା ପ୍ଲାଷ୍ଟିକ ଆର୍ଟ ମାଧ୍ୟମରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ରୁବେଲାଲ୍ । ତେବେ ଶୁଭଦୃଷ୍ଟି ପରିବାର ପକ୍ଷରୁ ଓଡ଼ିଶାର ଏହି ପ୍ରତିଭାବାନ ଯୁବ ବାଲୁକା ଶିଳ୍ପୀ ରୁବେଲାଲଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ।

ସାକ୍ଷାତକାର : ବାଲୁକାଶିଳ୍ପୀ ରୁବେଲାଲ ପ୍ରଧାନ

ପ୍ରଶ୍ନ : ଆପଣଙ୍କ ପିଲାବେଳ ଏବଂ ନିଜର ପଢାପଢି ବିଷୟରେ କିଛି କୁହନ୍ତୁ?
ଉତ୍ତର : ମୋର ଜନ୍ମ ଅନୁଗୁଳ ଜିଲ୍ଲା କୁରୁମଟାପ ଗାଁ ରେ। ପିଲାବେଳ ପଢା କହିଲେ ମୋର ପ୍ରାଥମିକ ଶିକ୍ଷା ଗାଁ ସ୍କୁଲ୍ ରେ ହୋଇଥିଲା, ହାଇସ୍କୁଲ ସମୟ ବେଳେ ମୁଁ ଜୟରାଟ ହାଇସ୍କୁଲ ହଷ୍ଟେଲରେ ରହୁଥିଲି। ଦଶମ ପରେ ମୁଁ ସରକାରୀ ଆଇଟିଆଇ, ତାଳଚେର ରେ ଆଇଟିଆଇ କଲି। 

ପ୍ରଶ୍ନ : ଆଇଟିଆଇ ଅର୍ଥାତ୍ ଟେକ୍ନିକାଲ ଏବଂ ବାଲୁକା କଳା ସଂପୂର୍ଣ୍ଣ ଭିନ୍ନ କ୍ଷେତ୍ର, ହଠାତ୍ ଏ ଦିଗକୁ କାହିଁକି ମୁହାଁଇଲେ ?
ଉତ୍ତର : ଦେଖନ୍ତୁ ହଠାତ୍ ତ କହିହେବନି। ମୁଁ ଛୋଟବେଳୁ କଳା ପ୍ରତି ଆକର୍ଷିତ ଥିଲି। ମାଆଙ୍କ ପାଖରୁ ପି କେ ମହାନନ୍ଦିଆଙ୍କ କଥା ଶୁଣି କିଛିକରିବା ପାଇଁ ଆଗ୍ରହୀ ହୋଇଥିଲି। ଆଇଟିଆଇ ସମୟରେ ସ୍ୟାଣ୍ଡ ଆର୍ଟ ନହେଲେ ମଧ୍ୟ ସ୍କ୍ରାପ୍ ଆର୍ଟ କରୁଥିଲି। ଛୋଟ ଛୋଟ ଲୁହା ଆଉ ମେଟାଲ କୁ ଯୋଡି କିଛି ନୁଆ କ୍ରିଏଟିଭ ଆର୍ଟ କରିବାକୁ ଚେଷ୍ଟା କରୁଥିଲି। ବାଲୁକଶିଳ୍ପ ପ୍ରତି କେଉଁଠି ନା କେଉଁଠି ମୋ ମନରେ ଗୋଟେ ଦୁର୍ବଳତା ଥିଲା, ଯାହା ମୋତେ ସେ ଦିଗକୁ ନେଇଗଲା।

ପ୍ରଶ୍ନ - କୁରୁମଟାପ ପରି ଗାଁ ଯାହା ବାଲି ଠାରୁ ଅନେକ ଦୂରରେ, ପାଖରେ ନଦୀ କି ସମୂଦ୍ର ବି ନାହିଁ ଏପରି ଗାଁ ରୁ ଆପଣ ବାଲୁକା ଶିଳ୍ପ କିପରି ଆରମ୍ଭ କରିଥିଲେ ?
ଉତ୍ତର : ଗାଁ ରେ ଲୋକ ଘରକାମ ପାଇଁ ଯେଉଁ ବାଲି ଆଣିଥାନ୍ତି ମୁଁ ପ୍ରଥମେ ସେଥିରେ ଅଭ୍ୟାସ କରିବା ଆରମ୍ଭ କରିଥିଲି। ଅନେକ ଜାଗାରେ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଧୀରେ ଧୀରେ ଲୋକମାନେ ମୋ ଆର୍ଟ କୁ ପସନ୍ଦ କରିଥିଲେ ଆଉ ମୋତେ ଗାଁ ଲୋକମାନେ ଏ ଦିଗରେ ସହଯୋଗ ଏବଂ ଉତ୍ସାହିତ ମଧ୍ଯ କରିଥିଲେ। 

ପ୍ରଶ୍ନ - ଆପଣ ବାଲୁକା ଶିଳ୍ପ କୁ କାହିଁକି ବାଛିଲେ ?
ଉତ୍ତର : ବାଲୁକା କଳା ଦେଖିଲା ପରେ ମୁଁ ଏହାପ୍ରତି ଆକର୍ଷିତ ହୋଇଥିଲି। ବାଲିକୁ କେମିତି କଣ୍ଟ୍ରୋଲ କରି ଏତେ ନିଖୁଣ ଭାବରେ ପ୍ରସ୍ତୁତ କରିହେଉଛି, ତାହା ମୋତେ ଏହା ପ୍ରତି ଆଗ୍ରହୀ କରିଥିଲା। 

ପ୍ରଶ୍ନ - ଆପଣ ସ୍ୟାଣ୍ଡ ଆର୍ଟ ସହିତ ସ୍କ୍ରାପ ଆର୍ଟ, ପ୍ଲାଷ୍ଟିକ ଆର୍ଟ ମଧ୍ଯ କରନ୍ତି, ତେବେ ଆପଣଙ୍କୁ ୟା ଭିତରୁ କଣ କରିବାକୁ ବେଶୀ ଭଲ ଲାଗେ ?
ଉତ୍ତର : ଦେଖନ୍ତୁ ସତ କହିବାକୁ ଗଲେ ମୋତେ ସ୍ୟାଣ୍ଡ ଆର୍ଟ କରିବାକୁ ବେଶୀ ଭଲ ଲାଗେ। ଯଦିଓ ଏଥିରେ ଅନ୍ୟ ଆର୍ଟ ଗୁଡ଼ିକ ଅପେକ୍ଷା ଅଧିକ ସମୟ ତଥା ପରିଶ୍ରମ ଲାଗିଥାଏ କିନ୍ତୁ ମୋତେ ଏଥିରେ ହିଁ ସବୁଠୁ ବେଶି ଭଲ ଲାଗିଥାଏ। ସ୍ୟାଣ୍ଡ ଆର୍ଟ ସହିତ ମୁଁ ସ୍ୟାଣ୍ଡ ଆନିମେସନ ମଧ୍ୟ କରେ। ସ୍କ୍ରାପ ଆର୍ଟ ମୋ ଶିକ୍ଷାର ଏକ ଅଂଶ, ଟୟ ମାନୁଫ୍ୟାକଚରିଁ ବା ପ୍ଲାଷ୍ଟିକ ଆର୍ଟ ମୋର ପେଶା ହେଲେ ସ୍ୟାଣ୍ଡ ଆର୍ଟ ମୋର ପରିଚୟ।  

ପ୍ରଶ୍ନ - ଆପଣ ଏହି ଆର୍ଟ କୁ ଛାଡ଼ି ଆଉ କିଛି କରିବେ ବୋଲି ଭାବିଥିଲେ କି ? ବାଲୁକା ଶିଳ୍ପ ଆଉ ଯାନ୍ତ୍ରିକ ଶିକ୍ଷା ଭିତରୁ ଆପଣ କାହାକୁ ବାଛିବେ ?
ଉତ୍ତର : ଆର୍ଟ ଛଡ଼ା ମୁଁ ଆଉ କିଛି ପରିକଳ୍ପନା କରିନାହିଁ। ଭବିଷ୍ୟତକୁ ନେଇ ଯାହା ବି କିଛି ଯୋଜନା ରହିଛି ଆର୍ଟ କୁ ନେଇ ହିଁ ରହିଛି। ଆଉ ଯେଉଁ ବାଛିବା କଥା କହିଲେ ମୁଁ ବାଲୁକଶିଳ୍ପ କୁ ହିଁ ବାଛିବି, କାରଣ ଜବ୍ ଛାଡ଼ି ମୁଁ ଏ ଆର୍ଟ ଲାଇନ୍ କୁ ଆସିଛି। 

ପ୍ରଶ୍ନ : ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାରର ପ୍ରଭାବ ରହିଥାଏ, ଆପଣଙ୍କ ଜୀବନରେ ଆପଣଙ୍କ ପରିବାରର ପ୍ରଭାବ କିପରି ରହିଥିଲା ?
ଉତ୍ତର : ପ୍ରଥମରୁ ଯେବେ ଏସବୁ ଆରମ୍ଭ କରିଥିଲି, ଘରେ ସମସ୍ତେ ଭାବୁଥିଲେ ଏସବୁ କଣ କରୁଛି? ଏଥିରେ ଭବିଷ୍ୟତ କଣ? କାରଣ ସବୁ ବାପା ମାଆଙ୍କ ପରି ମୋ ବାପା ମା ମଧ୍ୟ ଚାହୁଁଥିଲେ ମୁଁ ଗୋଟେ ଭଲ ଚାକିରୀ କରେ, ଭବିଷ୍ୟତ ଗଢେ ତେଣୁ ପ୍ରଥମରୁ ଏସବୁ ଦିଗରେ ପ୍ରାୟତଃ ସପୋର୍ଟ ନଥିଲା। କିନ୍ତୁ, ବର୍ତ୍ତମାନ ବାପା ମାଆ ଭାଇ ସମସ୍ତେ ମୋ ଏଇ ବାଲୁକଶିଳ୍ପୀ ହେବା ନିଷ୍ପତ୍ତିରେ ଖୁସି ଅଛନ୍ତି। 

ପ୍ରଶ୍ନ : ଯେତେ ଜାଗାରେ ଆପଣ ସ୍ୟାଣ୍ଡ ଆର୍ଟ ପ୍ରଦର୍ଶନ କଲେଣି ଆପଣ ବେଶୀ ପ୍ରଶଂସିତ କେଉଁଠି ହୋଇଥିଲେ ଯାହାକୁ ଆପଣ ଆଜି ଯାଏଁ ମନେ ରଖିଛନ୍ତି?
ଉତ୍ତର : ମୋ ଗାଁରୁ କିଛି ଦୂରରେ ଗୋଟେ ଗାଁ ରେ ମୁଁ କିଛି ବର୍ଷ ତଳେ ମୁଁ ସ୍ୟାଣ୍ଡ ଆର୍ଟ କରିଥିଲି, ସେତେବେଳେ ମୋର ଆର୍ଟ କୁ ବୁଝିପାରି ସେ ଗାଁ ଲୋକ ଯେଉଁ ଖୁସି ହୋଇଥିଲେ ତାହା ମୋ ପାଇଁ କୌଣସି ପ୍ରଶଂସା ବା ପୁରସ୍କାର ଠାରୁ ବଡ଼। 

ପ୍ରଶ୍ନ - ଏତେ କମ୍ ବୟସରୁ ଆପଣ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍, ଏସିଆ ବୁକ୍ ଅଫ୍ ରେକର୍ଡସ୍, ଗ୍ଲୋବାଲ ବୁକ୍ ଅଫ୍ ରେକର୍ଡସ୍ ଏବଂ ଆଇଟିଆଇ ଫେଷ୍ଟ ଗୋଲ୍ଡ ମେଡାଲ ପରି ବିଭିନ୍ନ ସଫଳତା ଲାଭ କଲେଣି, ଏହାକୁ ନେଇ ଆପଣ କିପରି ଅନୁଭବ କରନ୍ତି ?
ଉତ୍ତର : ମୁଁ ଏବେ ବି ନିଜକୁ ସଫଳ ବୋଲି ଭାବେନି। ଏଇ ପୁରସ୍କାର ଗୁଡ଼ିକ ମୋ ଜୀବନରେ ଉତପ୍ରେରକ ବା କ୍ୟାଟାଲିଷ୍ଟ ପରି ନୁଆ ନୁଆ ଆର୍ଟ କରିବାକୁ ପ୍ରେରଣା ପ୍ରଦାନ କରନ୍ତି। ଯେଉଁଦିନ ମୋ ଆର୍ଟ କାହା ଉପରେ ପ୍ରଭାବ ପକାଇବ, ଯେମିତି କି ମୁଁ କରିଥିବା ନୋ ସ୍ମୋକିଙ୍ଗ ର ଆର୍ଟ କୁ ଦେଖି ଯଦି ଜଣେ ସ୍ମୋକିଙ୍ଗ ବା ଧୂମପାନ ଛାଡ଼ି ଦେଉଛି। ତେବେ, ମୁଁ ମୋ ନିଜକୁ ସଫଳ ବୋଲି କହିବି। 

ପ୍ରଶ୍ନ : ନିଜେ କରିଥିବା ଆର୍ଟ ବ୍ୟତୀତ ଆପଣଙ୍କୁ କାହାର ଆର୍ଟ ସବୁଠୁ ବେଶୀ ଭଲ ଲାଗେ? ଆପଣ କାହାକୁ ଆଦର୍ଶ ବୋଲି ମାନନ୍ତି?
ଉତ୍ତର : ଜିତେନ୍ଦ୍ର ମହାରଣା ହେଉଛନ୍ତି ମୋର ଆଦର୍ଶ। ସେ ମୋତେ ପ୍ରାଇମେରୀ ଷ୍ଟେଜରେ ସ୍ୟାଣ୍ଡ ଆର୍ଟ କୁ ଆଣିଥିଲେ। ଆନ୍ତଃର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ମୋତେ ସ୍ୟାଣ୍ଡ ଆର୍ଟ ଆଉ ସ୍ୟାଣ୍ଡ ଆନିମେସନକୁ ନେଇ ଆଗକୁ ବଢ଼ିବାରେ ସହଯୋଗ କରିଥିଲେ ଏବଂ ସ୍କୋପ ଦେଇଥିଲେ। ମୋ ବ୍ୟତୀତ ମୋ ଗୁରୁ ମାନଙ୍କର ଆର୍ଟ ହିଁ ମୋତେ ଭଲଲାଗେ। 

ପ୍ରଶ୍ନ - ବାଲୁକାଶିଳ୍ପ ତଥା କଳାତ୍ମକ କାର୍ଯ୍ୟ ବ୍ୟତୀତ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ ଓ ଆପଣ ସେଥିରେ ସବୁଠୁ କଣ ଭଲ କରନ୍ତି ?
ଉତ୍ତର : ମୋତେ ନୁଆ ଜାଗା ବୁଲିବା ଆଉ ରୋଷେଇ କରିବାକୁ ଭଲ ଲାଗେ। ରୋଷେଇରେ ମୁଁ ଚିକେନ ବିରିୟାନି ଆଉ ଚିକେନ କଷା ସବୁଠୁ ଭଲ ପ୍ରସ୍ତୁତ କରେ। 

ପ୍ରଶ୍ନ - ଆପଣଙ୍କର ଆଗକୁ ଲକ୍ଷ୍ୟ କଣ ଅଛି ?
ଉତ୍ତର : ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବିଶ୍ବ ସ୍ତରରେ ପରିଚିତି ଦେବାକୁ ମୁଁ ଲକ୍ଷ୍ୟ ରଖିଛି। ଏଥିପାଇଁ ମୁଁ ଚେଷ୍ଟା ଜାରି ରଖିଛି ଆଉ ସୁଯୋଗକୁ ଅପେକ୍ଷା କରିଛି। 

ପ୍ରଶ୍ନ : ବହୁତ ନୂଆ ପ୍ରତିଭା ବାଲୁକାଶିଳ୍ପକୁ ଆସି କିଛି ନୂଆ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କଣ କହିବେ ?
ଉତ୍ତର : ପ୍ରଥମତଃ ମୁଁ ସମସ୍ତଙ୍କୁ ସ୍ବାଗତ ଜଣାଉଛି। ବାଲୁକାଶିଳ୍ପରେ ଆମ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଆମକୁ ସେହି ପରିଚୟ ବଜାୟ ରଖିବାର ଅଛି ଓ ଆଗକୁ ବଢାଇବାର ଅଛି। ସେମାନଙ୍କୁ କହିବି ନିଜ କଳା ପ୍ରତି କର୍ତ୍ତବ୍ୟନିଷ୍ଠ ହୋଇ କାମ କରନ୍ତୁ। 

ପ୍ରଶ୍ନ : ଓଡ଼ିଆ ଭାଷା କିମ୍ବା ସଂସ୍କୃତି ପାଇଁ ଆମେ ବାଲୁକା ଶିଳ୍ପ ମାଧ୍ୟମରେ କିଛି କରିପାରିବା କି ?
ଉତ୍ତର : ନିଶ୍ଚିତ ଭାବରେ କରିପାରିବା। ଗୋଟେ ଆର୍ଟ ଅନେକ ଲୋକଙ୍କୁ ଆକୃଷ୍ଟ କରିପାରେ। ଆମକୁ ଭାଷା ଓ ସଂସ୍କୃତିର ପ୍ରଚାର ପାଇଁ ବାଲୁକା କଳା ମାଧ୍ୟମରେ ଅନେକ ଆର୍ଟ କରି ସେ ଦିଗରେ ଲୋକଙ୍କୁ ସଚେତନ କରିପାରିବା। 

ଏଇ ସାକ୍ଷାତକାର ପାଇଁ ନିଜର ସମୟ ଦେଇ ଥିବାରୁ ଶୁଭଦୃଷ୍ଟି ପରିବାର ତରଫରୁ ରୁବେଲାଲଙ୍କୁ ବହୁତ ଧନ୍ୟବାଦ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now