ହିନ୍ଦୁ ହୃଦୟ ସମ୍ରାଟ : ଅଂଶୁମାନ ମହାରଣା
ସମଗ୍ର ଭାରତବର୍ଷରେ କାୟା ବିସ୍ତାର କରି ସାରିଥିବା ବିଦେଶୀ ମୁସଲମାନ ମୋଗଲ ଶାସନରେ ଯେବେ ଔରଙ୍ଗଜେବଙ୍କ ଭଳି କୃର ଧର୍ମାନ୍ଧ ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଥିଲା ଏହି ଭାରତ ଭୂଖଣ୍ଡ, ଠିକ ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟର ସ୍ଥାପନା କେବଳ ମହାରାଷ୍ଟ୍ରରେ କାହିଁକି ସମଗ୍ର ଦେଶର ରାଜନୈତିକ ପୃଷ୍ଠଭୂମିରେ ସୃଷ୍ଟି କରିଥିଲା ହଇଚଇ । ଯେଉଁ ହଇଚଇରୁ ଆରମ୍ଭ ହୋଇଥିଲା ଅତ୍ୟାଚାରୀ ମୋଗଲ ସାମ୍ରାଜ୍ୟର ଅଧପତନ ପ୍ରକ୍ରିୟା । ୧୬୭୪ ମସିହାର ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଆଣିଥିଲା ଭାରତୀୟ ଇତିହାସରେ ଏକ ନୂତନ ମୋଡ଼, ଯେବେ ପରାଧୀନତାର ଘନ ଅନ୍ଧକାର ମଧ୍ୟରେ ସଂଘଟିତ ହୋଇଥିଲା ଛତ୍ରପତି ଶିବାଜୀ ମହାରାଜାଙ୍କ ଭବ୍ୟ ରାଜ୍ୟାଭିଷେକ ଉତ୍ସବ । ସେଇ ତାରିଖ ୬ ଜୁନ ୧୬୭୪ ରଚିଥିଲା ଭାରତୀୟ ଇତିହାସର ଏକ ସ୍ୱଣ୍ଣିମ ଅଧ୍ୟାୟ, ଯେଉଁଦିନ ମହାରାଷ୍ଟ୍ରର ରାୟଗଡ଼ କିଲ୍ଲାରେ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଶିବାଜୀ ମହାରାଜାଙ୍କର ରାଜ୍ୟାଭିଷେକ କରାଯାଇଥିଲା । ଇତିହାସ ଶିବାଜୀଙ୍କ ରାଜ୍ୟାଭିଷେକ ସମ୍ପର୍କରେ ଏତିକି କହେ “ଏପରି ରାଜ୍ୟାଭିଷେକ ଗତ ୮୦୦ ବର୍ଷ ମଧ୍ୟରେ କାହାର ମଧ୍ୟ ହୋଇନାହିଁ, ଯେଉଁଥିରେ ୟୁରୋପ ଓ ଏସିଆ ମହାଦେଶ ତଥା ଭାରତବର୍ଷର ବିଭିନ୍ନ ରାଜବଂଶର ପ୍ରତିନିଧି ମାନେ ଯୋଗ ଦେଇ ରାଜ୍ୟାଭିଷେକର ଭବ୍ୟତାକୁ ଆହୁରି ଭବ୍ୟ କରିଥିଲେ ।” ସେବେ ସମସ୍ତ ଇତିହାସକାର ମାନଙ୍କ ଦୃଷ୍ଟି ଆକର୍ଷିତ କରିଥିଲା ଯେବେ ଶିବାଜୀ ମହାରାଜ ନିଜ ସାମ୍ରାଜ୍ୟକୁ ଘୋଷଣା କରିଥିଲେ ହିନ୍ଦୁ ସାମ୍ରାଜ୍ୟ ଭାବରେ ।
ସେଦିନ ଇତିହାସକାର ମାନଙ୍କ ଦୃଷ୍ଟି ଆକର୍ଷିତ ହେବା ଥିଲା ବେଶ୍ ଅସାମାନ୍ୟ । ଏହି ଅସାମାନ୍ୟତାର କାରଣଟି ହେଲା ଯେଉଁ ସମୟରେ ଭାରତର ଚତୁର୍ପାଶ୍ୱରେ ବିଦେଶୀ ମୁସଲମାନ ଆକ୍ରମଣକାରୀ ମାନଙ୍କ ଶାସନ ଥିଲା ସେହି ସମୟରେ ଏକ ବିଶାଳ ସ୍ୱାଧୀନ ହିନ୍ଦୁ ସାମ୍ରାଜ୍ୟର ପ୍ରତିଷ୍ଠା ହେବା ଘଟଣାଟି ଥିଲା ସପ୍ତାଶ୍ଚର୍ଯ୍ୟ ଠାରୁ ମଧ୍ୟ ଅଧିକ ଆଶ୍ଚର୍ଯ୍ୟଜନକ । କାହିଁକିନା ମୋଗଲ ସମ୍ରାଟ କୃର ଧର୍ମାନ୍ଧ ଔରଙ୍ଗଜେବଙ୍କ ଶାସନ କାଳରେ ପରିସ୍ଥିତି ଏପରି ଦୟନୀୟ ଥିଲା ଯେ ସେ ସମୟରେ ଅଣମୁସଲମାନ ବିଶେଷ କରି ହିନ୍ଦୁ ମାନେ ହିନ୍ଦୁ ହୋଇ ବଂଚିବାକୁ ଭୟ କରୁଥିଲେ । ସେତେବେଳେ ସମଗ୍ର ଭାରତୀୟ ହିନ୍ଦୁ ସମାଜ ପାଖରୁ ଛଡ଼ାଇ ନିଆଯାଇଥିଲା ହିନ୍ଦୁତ୍ୱର ଅଧିକାର ଅର୍ଥାତ ହିନ୍ଦୁ ମାନଙ୍କୁ ନିଜର ପରମ୍ପରା ବଜାୟ ରଖିବା ନିମନ୍ତେ ମିଳୁ ନଥିଲା ଅନୁମତି । ସମ୍ଭବ ନଥିଲା ଖୋଲାଖୋଲି ଭାବରେ ହିନ୍ଦୁ ପୂଜାବିଧି ପାଳନ । ନିତ୍ୟନିୟମିତ ଘଟଣା ପାଲଟି ଯାଇଥିଲା ମଠମନ୍ଦିର ଧ୍ୱଂସ ତଥା ଅବାଧ ଗୋହତ୍ୟା । ନିଦ୍ଦୋର୍ଷ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାରର ଦମନଲୀଳା ସେତିକିରେ ଶେଷ ହେଉନଥିଲା । ନାରୀଲୋଭୀ ଯବନ ମାନଙ୍କ ଲୋଲୁପ ଦୃଷ୍ଟିର କୁପରିଣାମ ଭୋଗିବାକୁ ପଡ଼ୁଥିଲା ହିନ୍ଦୁ ମାତୃଭଗିନୀ ମାନଙ୍କୁ । ଔରଙ୍ଗଜେବଙ୍କ ଶାସନରେ ତାଙ୍କରି ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିଲା ଅଣମୁସଲମାନଙ୍କ ଧର୍ମ ପରିବର୍ତନ ଏବଂ ଦ୍ୱାରା ଚାଲିଥିବା ଏହି ମୁସଲମାନ ଧର୍ମାନ୍ତରୀକରଣକୁ ସ୍ୱୀକାର ନକଲେ ମିଳୁଥିଲା ପ୍ରାଣଦଣ୍ଡ । ଜୀବନ ବିକଳରେ ହିନ୍ଦୁ ସର୍ଦ୍ଦାର ମାନେ ବାଧ୍ୟ ମୋଗଲ ଓ ନିଜାମ ମାନଙ୍କ ଦରବାରରେ ଅନିଚ୍ଛା ସତ୍ୱେ କରୁଥିଲେ ଗୋଲାମୀ । ପରାଧୀନତାର ଘନ ଅନ୍ଧକାର ମଧ୍ୟରେ ଅତ୍ୟାଚାରରେ ପୀଡ଼ିତ ହୋଇ କାଳ କାଟୁଥିବା ହିନ୍ଦୁ ସମାଜ ଶଙ୍କିତ ଥିଲା ହିନ୍ଦୁ ଜାତିର ସୁରକ୍ଷା ଓ ଭବିଷ୍ୟତକୁ ନେଇ । କଣ ହେବ ହିନ୍ଦୁ ଜାତିର ଭବିଷ୍ୟତ? କିଏ ସାଜିବ ହିନ୍ଦୁ ସମାଜର ରକ୍ଷାକର୍ତା?
ଦୟନୀୟ ଅବସ୍ଥା ମଧ୍ୟରେ ଗତି କରୁଥିବା ମାତା ଭାରତୀଙ୍କ ଆଖିରୁ ଲୁହ ପୋଛିଦବା ପାଇଁ ଆବିର୍ଭାବ ହେଲେ ଜଣେ ମହାନ ଦିବ୍ୟାତ୍ମା, ଯାହାଙ୍କୁ ସାରା ଦୁନିଆଁ ଜାଣିଲା ଛତ୍ରପତି ଶିବାଜୀ ନାମରେ । ମାତା ଜୀଜାବାଈଙ୍କ କୋଳମଣ୍ଡନ କରି ୧୬୩୦ ମସିହା ଫେବୃଆରୀ ମାସ ୧୯ ତାରିଖ ଦିନ ମହାରାଷ୍ଟ୍ରର ଶିବନେରୀ ଦୁର୍ଗରେ ଜନ୍ମଗ୍ରହଣ କରିଥିଲେ ଶିବାଜୀ । ୧୫ ବର୍ଷ ବୟସରେ ମାଓଦା ପ୍ରଦେଶର ଘଂଚ ଜଙ୍ଗଲରେ ଅଧିଷ୍ଠିତ ରୋହିଡ଼େଶ୍ୱର ମହାଦେବଙ୍କୁ ଆଙ୍ଗୁଠି କାଟି ରକ୍ତରେ ଅଭିଷେକ କରି ସଂକଳ୍ପ କରିଥିଲେ ହିନ୍ଦଭୀ ସ୍ୱରାଜ । ପୁନେର ଆଖପାଖରେ ଥିବା ୧୨ ଟି ମାଓଳା ପ୍ରଦେଶକୁ ନିଜର କ୍ଷେତ୍ର ଭାବରେ ଚୟନ କରି ଶିବାଜୀ ଆରମ୍ଭ କରିଥିଲେ ହିନ୍ଦଭୀ ସ୍ୱରାଜର ପ୍ରାରମ୍ଭିକ ପର୍ଯ୍ୟାୟ । ମାଓଳା ବନବାସୀ ଯୁବକ ମାନଙ୍କ ସହ ଶିବାଜୀଙ୍କ ମିତ୍ରତା ପୂର୍ବକ ବର୍ଦ୍ଧିତ ହେଉଥିଲା ହିନ୍ଦଭୀ ସ୍ୱରାଜ । ଏହି ହିନ୍ଦଭୀ ସ୍ୱରାଜ ଗଠନର ପ୍ରମୁଖ ପୀଠ ସାଜିଥିଲା ସହ୍ୟାଦ୍ରୀ ପର୍ବତମାଳା । ଏହି ହିନ୍ଦଭୀ ସ୍ୱରାଜର ଭୌଗଳିକ ସୀମା ଅଶୋକଙ୍କ ଭଳି ବିରାଟ ନଥିଲା ସତ ମାତ୍ର ହିନ୍ଦଭୀ ସ୍ୱରାଜର ପ୍ରତିଷ୍ଠାଗତ ବିଚାର ଶିବାଜୀ ମହାରାଜାଙ୍କୁ ପରିଚିତ କରାଉଥିଲା ଅନନ୍ୟ ଭାବରେ । କେବଳ ହିନ୍ଦୁ ମାନଙ୍କର ନୁହେଁ, ମତ ପନ୍ଥ ନିର୍ବିଶେଷରେ ସମସ୍ତଙ୍କର କଲ୍ୟାଣ ହିଁ ଥିଲା ହିନ୍ଦଭୀ ସ୍ୱରାଜର ସ୍ୱରୂପ । ପ୍ରଜାଗଣଙ୍କୁ ସ୍ୱାଧୀନତା ପ୍ରାପ୍ତି ଏବଂ ଗୋମାତା ଓ ମଠ ମନ୍ଦିରର ସୁରକ୍ଷା ତଥା ମାତୃ ଜାତିର ସମ୍ମାନ ରକ୍ଷା ହିଁ ଥିଲା ହିନ୍ଦଭୀ ସ୍ୱରାଜର ଉଦ୍ଦେଶ୍ୟ । ଧର୍ମୀୟ ଆଧାରରେ ପକ୍ଷପାତିତାରୁ ବହୁ ଦୂରରେ ଥିଲେ ଛତ୍ରପତି ଶିବାଜୀ ମହାରାଜ ।
ଦାକ୍ଷିଣାତ୍ୟର ଜଣେ ଶ୍ରେଷ୍ଠ ଯୋଦ୍ଧା ପରାକ୍ରମୀ ଶିବାଜୀ ମହାରାଜ ବିଚକ୍ଷଣ କୂଟନୀତି ବିଶାରଦ ଭାବରେ ବେଶ୍ ପରିଚିତ । ନିଜ କୂଟନୀତି ବିଶାରଦତାର ପରିଚୟ ପ୍ରଦାନ କରିବା ପୂର୍ବକ ୧୬୪୯ରେ ବିଜାପୁରରୁ ପିତା ଶାହାଜୀଙ୍କୁ ଯେପରି ମୁକ୍ତ କରାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ମୋଗଲ ସାମ୍ରାଜ୍ୟର ଅଧପତନରେ ମୁଖ୍ୟ ନାୟକ ସାଜିଥିବା ଶିବାଜୀ ଆରମ୍ଭ କରିଦେଇଥିଲେ କୂଟନୀତି ଋପକ ଗୋଟି ଚାଳନା । ଦକ୍ଷିଣ ଭାରତରେ ମୋଗଲ ସାମ୍ରାଜ୍ୟର ବିସ୍ତାର ଆକାଂକ୍ଷାରେ ଥିବା ଔରଙ୍ଗଜେବ କେବେ ବି ଚାହୁଁ ନଥିଲା ବିଜାପୁରର ସାମ୍ରାଜ୍ୟରେ ଅଭିବୃଦ୍ଧି ହେଉ । ଏକଥା ଶିବାଜୀ ଭଲଭାବରେ ଜାଣିଥିଲେ, ତେଣୁ ହାତମୁଠାରେ ଥିବା ସୁଯୋଗର ବ୍ୟବହାର ପ୍ରଥମେ ଔରଙ୍ଗଜେବକୁ ପତ୍ର ଲେଖି ବିଶ୍ୱସ୍ତ ହେବାର ପ୍ରସ୍ତାବ ଦେଇ ତାକୁ ରାଜନୈତିକ ତଥା କୂଟନୈତିକ ସ୍ତରରୁ ଅନ୍ଧ କରିଦେଲେ । ଔରଙ୍ଗଜେବ ଖୁସି ହୋଇ ଆଦିଲ ଶାହା ମାଧ୍ୟମରେ ଶାହାଜୀଙ୍କୁ ମୁକ୍ତ କରାଇଲା । ଶାହାଜୀ ମୁକ୍ତ ହେବା ପରେ ଶିବାଜୀ ବିଜାପୁର ଅଧୀନରେ ଥବା ପ୍ରତାପଗଡ଼ କିଲ୍ଲାକୁ ସହଜରେ ଦଖଲ କରିନେବା ସହ ହିନ୍ଦଭୀ ସ୍ୱରାଜ ସହ ମିଶିଗଲା ଅସରନ୍ତି ଧନସମ୍ପତି ଓ ବାର ହଜାର ପଦାତିକ ସୈନ୍ୟ । ପ୍ରତିଶୋଧ ନେବା ପାଇଁ ଆଦିଲ ଶାହା ପଠାଇଥିବା ନିଜର ପରାକ୍ରମୀ ସେନାପତି ଏକଦା ଔରଙ୍ଗଜେବକୁ ପରାସ୍ତ କରିଥିବା ଆଫଜଲ ଖାଁ ଙ୍କୁ ଅତି ଚତୁରତାର ସହ ମୁକାବିଲା କରିଥିଲେ ଶିବାଜୀ । ଆଫଜଲ ଖାଁ କୁ ବିଫଳ କରାଇବା ପାଇଁ ତା ପ୍ରତି ବିପରୀତ ରଣନୀତି ପ୍ରୟୋଗ କରିବା ପୂର୍ବକ ନରସିଂହ ହିରଣ୍ୟକଶିପୁକୁ ହତ୍ୟା କଲା ଭଳି ଆଲୋଚନା ପାଇଁ ଡ଼କାଇ ଥିବା ବିଶ୍ୱାସଘାତକ ଆଫଜଲ ଖାଁ କୁ ହତ୍ୟା କଲେ ଶିବାଜୀ । ଏହି ଘଟଣା ପରେ ଔରଙ୍ଗଜେବ ଦେଢଲକ୍ଷ ସୈନ୍ୟ ସହିତ ନିଜ ମାମୁଁ ଶାଇସ୍ତା ଖାଁ କୁ ଆକ୍ରମଣ ପାଇଁ ପଠାଇଲା । ଶିବାଜୀଙ୍କ ଗଭୀର କୂଟନୀତି ଓ ରଣନୀତି କ୍ରମେ ମାତ୍ର ଦୁଇ ହଜାର ସୈନ୍ୟଙ୍କୁ ନେଇ ସଂଘଟିତ ହୋଇଥିଲା ଭାରତୀୟ ଇତିହାସର ପ୍ରଥମ ତଥା ସର୍ବଶ୍ରେଷ୍ଠ ସର୍ଜିକାଲ ଷ୍ଟ୍ରାଇକ ।
ଏହି ସର୍ଜିକାଲ ଷ୍ଟ୍ରାଇକ ମୋଗଲ ଶିବିରରେ ସୃଷ୍ଟି କରିଥିଲା ଭୟର ଅନ୍ଧକାର । ମୋଗଲ ସାମ୍ରାଜ୍ୟ ଯେ ଭାରତରେ ଆଉ ବେଶୀ ଦିନ ତିଷ୍ଠି ପାରିବ ନାହିଁ ଏହି ଆଶଙ୍କାକୁ ଠଉରେଇ ନେଇ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲା କୃର ଔରଙ୍ଗଜେବ । ଶିବାଜୀଙ୍କ ସ୍ୱରାଜକୁ ମାଟିରେ ମିଶାଇ ଦେବା ପାଇଁ ମିର୍ଜାରାଜା ଜୟ ସିଂହ ର ସହାୟତା ଲୋଡ଼ିଲା ଔରଙ୍ଗଜେବ ମାତ୍ର ରଣନୀତି ଅପେକ୍ଷା କୂଟନୀତିରେ ଅଧିକ ବିଶ୍ୱାସ ରଖୁଥିବା ଶିବାଜୀ ଅଯଥା ଯୁଦ୍ଧ ନକରି ଦିଲ୍ଲୀ ଯାତ୍ରା କଲେ । ଦିଲ୍ଲୀ ଯାତ୍ରାର ପଛରେ ଶିବାଜୀଙ୍କ ଏକମାତ୍ର ଉଦ୍ଦେଶ୍ୟ ଥିଲା ଭବିଷ୍ୟତରେ ହିନ୍ଦୁ ସ୍ୱରାଜ ପାଇଁ ଦିଲ୍ଲୀ ଜରୁରୀ । ଏହି କାରଣରୁ ଛତ୍ରପତି ଶିବାଜୀ ସୁରଟ ଆକ୍ରମଣ କରି ଏହାର ଧନସମ୍ପତିକୁ ହିନ୍ଦଭୀ ସ୍ୱରାଜର ଅଧୀନ କରିନେଲେ । ଛଳ କ୍ରମେ ଔରଙ୍ଗଜେବ ଶିବାଜୀଙ୍କୁ ବନ୍ଦୀ କରି ପକାଇଲା ସତ ମାତ୍ର ସେଇଦିନ ଚକମା ଖାଇଲା ଯେଉଁଦିନ ଶିବାଜୀ ଆଗ୍ରା ଦୁର୍ଗରୁ ବାହାରି ରାୟଗଡ଼ରେ ପହଂଚି ଔରଙ୍ଗଜେବକୁ ତାର ବରବାଦିର ପତ୍ର ଲେଖି ପଠାଇଲେ । ଏହି ଘଟଣା କେବଳ ଇତିହାସକାର ମାନଙ୍କ ଦୃଷ୍ଟିକୁ ଆକର୍ଷିତ କଲା ନାହିଁ ବରଂ ଛତ୍ରପତି ଶିବାଜୀଙ୍କୁ ବିଶ୍ୱ ଇତିହାସର ସର୍ବଶ୍ରେଷ୍ଠ ସମ୍ରାଟ ଭାବରେ ପରିଗଣିତ କରିବାକୁ ବାଧ୍ୟ କରିଥିଲା । ଏହି ଘଟଣା ପରେ ଛତ୍ରପତି ଶିବାଜୀ ମହାରାଜା ସ୍ଥାପନା କରିଥିଲେ ମହାରାଷ୍ଟ୍ରରେ ହିନ୍ଦୁ ସାମ୍ରାଜ୍ୟ ।
ଛତ୍ରପତି ଶିବାଜୀ ମହାରାଜ ଏବଂ ଅନ୍ୟାନ୍ୟ ମହାରାଜ ମାନଙ୍କୁ ତୁଳନା କଲେ ଶିବାଜୀ ମହାରାଜା ସମ୍ପୂର୍ଣ୍ଣ ଋପେ ନିଆରା ବୋଲି ଜଣା ଯାଆନ୍ତି । ତାଙ୍କର କାର୍ଯ୍ୟଶୈଳୀ, ରାଜନୈତିକ ଓ କୂଟନୈତିକ ପରିଚାଳନା ତଥା ବିଚାରଗତ ଆଦର୍ଶ ହିଁ ତାଙ୍କୁ ବିଶ୍ୱ ଇତିହାସର ସର୍ବଶ୍ରେଷ୍ଠ ସମ୍ରାଟ ଭାବରେ ପରିଗଣିତ କରିଛି । ଇତିହାସର ସର୍ବଶ୍ରେଷ୍ଠ ହିନ୍ଦୁ ପରାକ୍ରମୀ ଯୋଦ୍ଧା ଛତ୍ରପତି ଶିବାଜୀ କେବେ ବି ଅଯଥା ଯୁଦ୍ଧକୁ ପ୍ରଶୟ ଦେଇ ନାହାନ୍ତି । ତାଙ୍କର ପ୍ରତ୍ୟେକଟି କାର୍ଯ୍ୟରେ ଭରି ରହିଥିଲା ମାତୃଭକ୍ତି, ଗୁରୁଭକ୍ତି ତଥା ରାଷ୍ଟ୍ରୀୟତାର ଝଙ୍କାର । ଶିବାଜୀ ଏତେ ବଡ଼ ହିନ୍ଦୁ ସାମ୍ରାଜ୍ୟର ପରିକଳ୍ପନା କରି ତାହାକୁ ବାସ୍ତବ ଋପ ପ୍ରଦାନ କରିବା ପଛରେ ଥିଲା ଗୁରୁ ସମର୍ଥ ରାମଦାସଙ୍କ ପ୍ରେରଣା । ଯେତେବେଳେ ଶତ୍ରୁର ମନ ଭିତରର ଭାବକୁ ବୁଝିବାରେ ଭୁଲ କରି ହିନ୍ଦୁ ସମ୍ରାଟ ମାନେ ବାରମ୍ବାର ଯୁଦ୍ଧରେ ପରାଜୟ ବରଣ କରିଛନ୍ତି ଶିବାଜୀ ମହାରାଜ ଏହାର ବ୍ୟତିକ୍ରମ ସାଜି ଔରଙ୍ଗଜେବକୁ ପରାସ୍ତ କରିଥିବା ଆଫଜଲ ଖାଁ କୁ ନିହତ କରିଛନ୍ତି । ଶିବାଜୀଙ୍କ ପାଇଁ ସ୍ୱରାଜର ଅର୍ଥ ବିଶାଳ ହିନ୍ଦୁ ପରିବାର । ସ୍ୱରାଜ ପାଇଁ ନିଜକୁ ଉତ୍ସର୍ଗ କରି ଦେଇଥିବା ପ୍ରତ୍ୟେକଟି ଯୋଦ୍ଧାଙ୍କ ଶିବାଜୀ ଥିଲେ ସମର୍ପିତ । ଶିବାଜୀଙ୍କ ବୀରତ୍ୱ, ଶାସନ ପ୍ରଣାଳୀ, ବିଜୟ ଗାଥା କେବଳ ମହାରାଷ୍ଟ୍ର କାହିଁକି ସମଗ୍ର ଦେଶରେ ହୁଏ ଗୁଞ୍ଜରିତ । ଫେବୃଆରୀ ମାସ ୧୯ ୧୬୩୦ ରେ ଜନ୍ମଗ୍ରହଣ କରିଥିବା ଶିବାଜୀ ମହାରାଜ ପରିଚୟ ପାଇଛନ୍ତି ହିନ୍ଦୁ ହୃଦୟ ସମ୍ରାଟ ଭାବେ, ଏହି ହିନ୍ଦୁ ହୃଦୟ ସମ୍ରାଟଙ୍କ ରାଜ୍ୟାଭିଷେକ ଦିବସକୁ ସମସ୍ତ ଭାରତୀୟ ହିନ୍ଦୁ ସାମ୍ରାଜ୍ୟ ଦିବସ ଭାବରେ ପାଳନ କଲେ ଏହା ହେବ ଶିବାଜୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ବଢିଆ ଲେଖା। ଏହା ମୋଗଲଙ୍କ ୨ୟ ଯୁଗ ଥିଲା। ଆଉରେଙ୍ଗଜେବ ବା ଆଲମଗୀର ଅତି କ୍ରୁର ଥିଲା। ଆମର ସେତେବେଳେ ବଳଭଦ୍ର ଦେବଙ୍କ ଶାସନ ଚାଲିଥିଲା।
ReplyDeletePost a Comment