ସାକ୍ଷାତକାର : ମନସ୍ଵିନୀ ପତି

 ସାକ୍ଷାତକାର : ମନସ୍ଵିନୀ ପତି


ମନସ୍ଵିନୀ ପତି ଆଜିର ଯୁବପିଢ଼ି ପାଖରେ ଏକ ଲୋକପ୍ରିୟ ନାମ। ପ୍ରଥମେ "ଫିଲ୍ ମାଇଁ ଲଭ୍" ମ୍ୟୁଜିକ୍ ଭିଡିଓ ରୁ ଆରମ୍ଭ କରି "ଗୋଲମାଲ୍ ଲଭ୍" ପରି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । “ତୋ ବିନା ମୁଁ କିଛି ଚାହେଁନା "ଗୋଲମାଲ୍ ଲଭ୍" ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନରେ ନିଜର ଛାପ ଛାଡିଯାଇଛନ୍ତି।
ତାଙ୍କ ଅଭିନୀତ ମ୍ୟୁଜିକ ଭିଡ଼ିଓ ମେହବୁବା, ଫିଲ୍ ମାଇଁ ଲଭ୍, ଲଲିପପ୍, ଆହିସ୍ତା ଆହିସ୍ତା ନାହିଁ ନଥିବା ପ୍ରଶଂସା ଗୋଟାଉଛି। ନିଜକୁ କେବଳ ଚଳଚ୍ଚିତ୍ର କିମ୍ବା ମ୍ୟୁଜିକ୍ ଭିଡିଓ ରେ ବାନ୍ଧି ନ ରଖି ସାମ୍ବାଦିକତା ପରି ପାଠ୍ୟକ୍ରମ ଚୟନ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ମନସ୍ଵିନୀ। 
ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଚତୁର୍ଥ ସଂସ୍କରଣ ସାକ୍ଷାତକାର ପାଇଁ ଓଡ଼ିଆ କଥାଚିତ୍ର ଜଗତର ଉଦୀୟମାନ ତାରକା ମନସ୍ଵିନୀ ପତିଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ ।



ପ୍ରଶ୍ନ - ରିୟଲିଟି ଶୋ'ର ପ୍ରଥମରୁ ଏପର୍ଯ୍ୟନ୍ତ ଆପଣଙ୍କ ଅଭିନୟ ଜୀବନ ବିଷୟରେ କୁହନ୍ତୁ ?
ଉତ୍ତର - ପ୍ରଥମେ ମୁଁ ତରଙ୍ଗର "କିଏ ହେବ ମୋ' ହିରୋଇନ୍" ସିଜନ୍-୩ର ରନର୍ସ ଅପ୍ ଥିଲି । ମୋର +୨ ବିଜ୍ଞାନ ବାଲେଶ୍ୱରରେ ଶେଷ ହୋଇଥିଲା ଏବଂ ମୁଁ ଜାଣିଥିଲି ଯେ ମୁଁ ଅଡ଼ିସନ୍ ଦେବି । ଯେହେତୁ ମୁଁ ଛୋଟ ବେଳରୁ ହିଁ ଆକ୍ଟିଙ୍ଗରେ ଆମ କେଉଁଝର ଜିଲ୍ଲାରେ ପ୍ରଥମ ହୁଏ । ସମସ୍ତେ ଜାଣିଥିଲେ କି ମୁଁ ଅଭିନୟ କ୍ଷେତ୍ରରେ କିଛି ନା କିଛି କରିବି। 

ପ୍ରଶ୍ନ - ପିଲାବେଳୁ ଏପର୍ଯ୍ୟନ୍ତ ଆପଣଙ୍କ ପାଠପଢ଼ା ଏବଂ ଘର ବିଷୟରେ କିଛି କୁହନ୍ତୁ ?
ଉତ୍ତର - ମୋ ଘର ହେଉଛି କେଉଁଝରର ଆନନ୍ଦପୁର; ମୋ ମାମା ମତେ ଅଭିନୟ ପାଇଁ ଉତ୍ସାହିତ କରିବା ସହ କାହାଣୀ ଲେଖିବାର ସହଯୋଗ କରନ୍ତି । ସିନେମାରେ ଦିଆଯାଇଥିବା ସଂଳାପ ପରିବର୍ତ୍ତେ ମୁଁ ମୋ ନିଜ ସଂଳାପ କହେ । "କିଏ ହେବ ମୋ' ହିରୋଇନ୍" ଅଡ଼ିସନରେ ମୁଁ ଜଜ୍ ବା ବିଚାରକମାନଙ୍କ ପ୍ରିୟ ଥିଲି, ସେମାନେ କୁହନ୍ତି ଯେ ତୁମକୁ ଦେଖିଲେ ଜଣେ ପୁରୁଣା ଅଭିନେତ୍ରୀଙ୍କ କଥା ମନେ ପଡ଼ିଯାଉଛି । ସେମାନେ ପଚାରନ୍ତି ଯେ ଏମିତି କେମିତି କରୁଛ ବିନା ଅଭ୍ୟାସ ମୁଁ କହେ ଯେ ମୋ ମା'ଙ୍କଠାରୁ ସେହି ଅନୁପ୍ରେରଣା ଆସିଛି ।

ପ୍ରଶ୍ନ - ଆପଣଙ୍କୁ ଯେତେବେଳେ ପ୍ରଥମ ସିନେମାରେ ସୁଯୋଗ ମିଳିଲା ସେତେବେଳେ ଆପଣ କିଭଳି ଅନୁଭବ କରିଥିଲେ ?
ଉତ୍ତର - ଯେତେବେଳେ ମୁଁ "କିଏ ହେବ ମୋ ହିରୋଇନ୍"ରେ ଥିଲି ତା'ର ଦେଢ ବର୍ଷ ପରେ ମୋତେ ସୁଯୋଗ ମିଳିଲା । ସେତେବେଳେ ମୁଁ ରମାଦେବୀରେ ଇଂରାଜୀରେ ସ୍ନାତକ କରୁଥିଲି; ମୁଁ ଟିକେ ବ୍ରେକ୍ ନେଇଯାଇଥିଲି ଭାବିଲି ଗ୍ରାଜୁଏସନ୍ ସରିଲେ କରିବି । ତା' ପୂର୍ବରୁ ଅନେକ ଚଳଚିତ୍ରର ଅଫର୍ ଆସିଥିଲା କିନ୍ତୁ କରିନଥିଲି, ପ୍ରକୃତରେ ମୁଁ ଚାହୁଁଥିଲି ତରଙ୍ଗ ବ୍ୟାନର ରେ ହିଁ ମୋର ପ୍ରଥମ ଚଳଚିତ୍ର କରିବାକୁ କାରଣ ମୁଁ ସେହି ଚ୍ୟାନେଲ ରୁ ଶୋ' ଜିତିଥିଲି । ତା'ପରେ ରାକେଶ ଦେଓଙ୍କ ସହ "ତୋ ବିନା ମୁଁ କିଛି ଚାହେଁନା" ମୋ ଅଭିନୀତ ପ୍ରଥମ ଚଳଚିତ୍ର ହୋଇଥିଲା; ସେହି ଚଳଚିତ୍ରରେ ମୋର ଭଲ ଚରିତ୍ରଟିଏ ଥିଲା । ତରଙ୍ଗ ଶୋ'ରେ ମତେ ସମସ୍ତେ କହିଥିଲେ କି ବହୁତ ଚ୍ୟାଲେଞ୍ଜିଙ୍ଗ ଚରିତ୍ରରେ ତୁମେ ଭଲ ଅଭିନୟ କରିପାରିବ । ମତେ ଯେଉଁ ଚରିତ୍ରଟି ମିଳିଥିଲା ତାହା ଏକ ଭିନ୍ନ ଚରିତ୍ର ଥିଲା କାରଣ ଏଥିରେ ଅଭିନୟ ସହ ଆବେଗପ୍ରବଣ ମଧ୍ୟ ଥିଲା, ଯେମିତି ଗୋଟିଏ ଚଳଚିତ୍ରରେ ମୁଁ ମୋର ଅଭିନୟର ଛାପ ଛାଡ଼ିପାରିବି । ଚଳଚିତ୍ରଟି ମୋତେ ବହୁତ ଭଲ ଲାଗିଥିଲା ଏବଂ ମୋତେ ଯେଉଁମାନେ ଭଲପାଆନ୍ତି ସେମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥିଲା । ଫ୍ୟାନ୍(ପ୍ରଶଂସକ) ବୋଲି ଯେଉଁ ଶବ୍ଦ ମୁଁ ପ୍ରଥମେ ଅନୁଭବ କଲି ଯେବେ ମୋତେ ସମସ୍ତେ ଇନଷ୍ଟାଗ୍ରାମ୍, ଫେସବୁକରେ ମେସେଜ୍ କଲେ କି ଏତେ ଦିନ ପରେ ଆମେ ରଚନା ବାନାର୍ଜୀଙ୍କୁ ଦେଖିଲୁ; ଯାହା ମୋ ପାଇଁ ସବୁଠୁ ବଡ଼ ଅଭିନନ୍ଦନ ଥିଲା କାରଣ ରଚନା ମ୍ୟାମ ମୋର ସବୁଠୁ ଅଧିକ ପସନ୍ଦର ନାୟିକା। 



ପ୍ରଶ୍ନ - ସାମ୍ବାଦିକତା ଏବଂ ଅଭିନୟ ଦୁଇଟି ସଂପୂର୍ଣ୍ଣ ଭିନ୍ନ ବିଷୟ କି ?
ଉତ୍ତର - ନା ସଂପୂର୍ଣ୍ଣ ଭିନ୍ନ ନୁହେଁ; ବରଂ ଆଶିଂକ ଭିନ୍ନ କହିପାରିବା । କ୍ୟାମେରା ଦୁଇଟିରେ ସାଧାରଣ କିନ୍ତୁ ନ୍ୟୁଜ୍ ବିନା ଆମେ କିଛି ନୁହଁ ଠିକ୍ ସେହିପରି ସିନେମା ହେଲା ଆମ ଅଭିନୟ ଜୀବନ । ମୋ ମାମା ଓ ବାପା ଦୁହେଁ ଶିକ୍ଷକ ଏଣୁ ମୁଁ ଛୋଟ ବେଳରୁ ହିଁ ଶିକ୍ଷାକୁ ଗୁରୁତ୍ୱ ଦେଇଛି । ମୋର ଇଚ୍ଛା ଥିଲା ମୁଁ ସାମ୍ବାଦିକତା କରିବି, କାରଣ ଉଭୟ ପାଠପଢା ଓ ଅଭିନୟ ଜୀବନରେ କ୍ୟାମେରାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରକୃତରେ ମୁଁ ନିଜକୁ କ୍ୟାମେରା ରେ ଦେଖିବାକୁ ଭଲପାଏ, ତେଣୁ ସାମ୍ବାଦିକତାକୁ ବାଛିଥିଲି। 

ପ୍ରଶ୍ନ - ଯେତେବେଳେ ଆପଣଙ୍କ ସାଙ୍ଗମାନେ ଆପଣଙ୍କୁ କୁହନ୍ତି ଯେ ତୁ ଗୋଟେ ଚର୍ଚ୍ଚିତ ଚେହେରା ସେତେବେଳେ ଆପଣଙ୍କୁ କେମିତି ଲାଗେ ?
ଉତ୍ତର - ମୋ ସାଙ୍ଗମାନଙ୍କ ନିକଟରେ ମୁଁ କେବେ ଏମିତି ଗର୍ବଭାବ ଦେଖାଇ ନାହିଁ ଯେ ସେମାନେ ମୋତେ ଚର୍ଚ୍ଚିତ ଚେହେରା ବୋଲି କହିବେ । ମୋ ସାଙ୍ଗମାନେ ବରଂ ଖୁସିରେ କହନ୍ତି ଯେ ଆମକୁ ଖୁସି ଲାଗୁଛିକି ଆମ ସାଙ୍ଗ ଗୋଟେ ଅଭିନେତ୍ରୀ ବୋଲି । ମୁଁ ବହୁତ ବନ୍ଧୁତାପୂର୍ଣ୍ଣ ଭାବେ ସେମାନଙ୍କ ସହ ମିଶେ, ମୋ ନିକଟର ବନ୍ଧୁମାନେ ଜାଣନ୍ତି ଯେ ମୁଁ କଥା ହେବାକୁ ଏବଂ ଜିତିବାକୁ ବହୁତ ଭଲପାଏ । ମୋ ଜୀବନରେ ମୋ ବନ୍ଧୁମାନଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ମୋର ବନ୍ଧୁମାନେ ମୋ ପାଇଁ ଗର୍ବ ଅନୁଭବ କରନ୍ତି। 

ପ୍ରଶ୍ନ - ଆରମ୍ଭରୁ ଏପର୍ଯ୍ୟନ୍ତ କେଉଁ ଚରିତ୍ର ଆପଣଙ୍କ ପାଇଁ କଷ୍ଟକର ଥିଲା ?
ଉତ୍ତର - ମୁଁ ସିନେମା କରିବା ପୂର୍ବରୁ "Feel My Love" ଆଲବମରେ ଲୁବୁନ୍ ସାରଙ୍କ ସହ କାମ କରିଥିଲି ଏବଂ "Smart ଶ୍ରୀମତୀ"ରେ ମୁଁ ଆଙ୍କରିଂ ମଧ୍ୟ କରିଥିଲି । ମୋ ପାଇଁ ମୋ କାମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ; ସେଥି ପାଇଁ ମତେ ସଭିଁଏ ମଲ୍ଟିଟ୍ୟାଲେଣ୍ଟେଡ୍ ବୋଲି କହନ୍ତି । ଚ୍ୟାଲେଞ୍ଜିଙ୍ଗ ଚରିତ୍ର ଏପର୍ଯ୍ୟନ୍ତ ମୋତେ ମିଳିନାହିଁ, ମୁଁ ଭାବୁଥିବା ଚରିତ୍ର ଯଦି କେବେ ରିମେକ୍ ହେବ ଓଡ଼ିଆ ସିନେମା "ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର"; ଯାହା ରଚନା ବାନାର୍ଜୀଙ୍କର ଫିଲ୍ମ, ସେମିତି ଚରିତ୍ର ମୋତେ ବହୁତ ଭଲ ଲାଗେ । ମୁଁ ଆଜିର ଜେନେରେସନର ପିଲା କିନ୍ତୁ ଏଭଳି ଫିଲ୍ମଗୁଡ଼ିକ ମୋତେ ଭଲ ଲାଗେ । ଅପରାଜିତା ମ୍ୟାମ ଙ୍କ ଫିଲ୍ମ ସବୁ ମୋତେ ବହୁତ ଭଲ ଲାଗେ । ଚ୍ୟାଲେଞ୍ଜିଙ୍ଗ ଚରିତ୍ର ମତେ ଏପର୍ଯ୍ୟନ୍ତ ମିଳିନି; କିନ୍ତୁ ଏଯାବତ୍ ଯେତକ ଚରିତ୍ର ମିଳିଛି ସେଥିରେ ମୁଁ ସନ୍ତୁଷ୍ଟ ଓ ଖୁସି। 


ପ୍ରଶ୍ନ - ଓଡ଼ିଆ ଅଭିନୟ ଜଗତରେ ଆପଣଙ୍କ ସବୁଠାରୁ ପ୍ରିୟ କଳାକାର କିଏ ? ଏବଂ ଆପଣ କାହାକୁ ନିଜ ଆଦର୍ଶ ବୋଲି ମାନନ୍ତି ?
ଉତ୍ତର - ପ୍ରଥମ କଥା ହେଲା ମୁଁ ମୋ ମାମାଙ୍କୁ ମୋର ଆଦର୍ଶ ବୋଲି ଭାବେ । ଅଭିନେତ୍ରୀଙ୍କ ମଧ୍ୟରେ ଅପରାଜିତା ମ୍ୟାମ, ମହେଶ୍ୱତା ମ୍ୟାମ ଙ୍କୁ ମୋର ଆଦର୍ଶ ବୋଲି ମାନେ କିନ୍ତୁ ରଚନା ମ୍ୟାମ ହିଁ ମୋର ବହୁତ ପସନ୍ଦ ଏବଂ ଅଭିନେତାଙ୍କ ମଧ୍ୟରେ ବିଜୟ ମହାନ୍ତି ସାର୍ ମୋର ବହୁତ ପସନ୍ଦ। 


ପ୍ରଶ୍ନ - ଏମିତି ପ୍ରଶଂସା ଆପଣଙ୍କୁ କେବେ ମିଳିଥିଲା କି ଯାହାକୁ ଆପଣ ଜୀବନସାରା ଭୁଲି ପାରିବେ ନାହିଁ ?
ଉତ୍ତର - ମୋ ରିୟଲିଟି ଶୋ'ରେ ମୋତେ ଅଧିକ ପ୍ରଶଂସା ମିଳିଥିଲା ତାଛଡ଼ା ମୋ ମୁଭିର ପ୍ରମୋଶନ ପାଇଁ ମୁଁ ଯେତେବେଳେ ରିଆଲିଟି ଶୋ'କୁ ଅତିଥି ରୂପେ ଯାଏ ସେତେବେଳେ ମଧ୍ୟ ପ୍ରଶଂସା ମିଳିଥାଏ । ମୁଁ ଯେତେବେଳେ ମଞ୍ଚ ତଳେ ଥାଏ ସେତେବେଳେ କେହି ବି ଜାଣିପାରନ୍ତି ନାହିଁ ଯେ ମୁଁ କେମିତି ଅଭିନୟ କରିବି; ମୁଁ ସାଧାରଣ ଭାବେ ବସି ମାମାଙ୍କ ସହ କଥା ହେଉଥାଏ । ମୁଁ ଯେବେ ମଞ୍ଚ ଉପରକୁ ଯାଏ ସମସ୍ତେ କହନ୍ତି ତମେ ଜଣା ପଡ଼ୁନଥିଲ ହେଲେ ମଞ୍ଚ ଉପରକୁ ଆସିଲେ ତମର କଣ ହେଉଛି ! ମଞ୍ଚ ତଳେ ରହି ଯାହା ବି ହେଲେ ମଧ୍ୟ ମଞ୍କୁ ଯାଇ ନିଜର କଳା ଦେଖାଇବା ହିଁ ମୋର ପାଇଁ ସବୁଠୁ ବଡ଼ ପ୍ରଶଂସା ॥

ପ୍ରଶ୍ନ - ଖାଲି ସମୟରେ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ ?
ଉତ୍ତର - ମୋତେ ନାଚିବା ପାଇଁ ବହୁତ ଭଲ ଲାଗେ,ଗୀତ ବି ଗାଏ । ସପିଂଙ୍ଗ କରିବା ପାଇଁ ମତେ ବହୁତ ଭଲ ଲାଗେ ଏବଂ ଛୋଟ ଛୁଆଙ୍କ ସହ ଖେଳିବକୁ ଭଲ ଲାଗେ ॥

ପ୍ରଶ୍ନ - ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ସିନେମା ମାଧ୍ୟମରେ ଆମେ କିଛି କରିପାରିବା କି ?
ଉତ୍ତର - ହଁ କରିପାରିବା, ଭାଷା ଓ ସଂସ୍କୃତି ଉଭୟେ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଓଡ଼ିଆ ସିନେମା ରିଲିଜ୍ ହେଲେ ପ୍ରଥମେ ଦର୍ଶକମାନେ ତାକୁ ଓଡ଼ିଆ ଭାଷାରେ ଦେଖୁଛନ୍ତି । ଆମେ ସବୁ ପ୍ରକାର ଭାଷା ଜାଣିବା ଦରକାର, ଏମିତି ନାହିଁ ଯେ ଓଡ଼ିଆରେ କଥା ହେଲେ ଆମେ ଓଡ଼ିଶାକୁ ସମ୍ମାନ ଦେବା ଆମକୁ ଓଡ଼ିଶା ପାଇଁ କାମ କରିବା ଦରକାର । ଆମେ ଯେଉଁଠି କାମ କରିବା ସିନେମା ହେଉ କି ବଡ଼ କମ୍ପାନୀ ନିଜର ଭାଷା ତଥା ସଂସ୍କତିକୁ କେବେ ପଛଘୁଞ୍ଚା ଦେବା ନାହିଁ। 


ପ୍ରଶ୍ନ - ଏବେ ଯେଉଁ ନୂଆ ପ୍ରତିଭାମାନେ ଅଛନ୍ତି ସେମାନଙ୍କୁ ଆପଣ କଣ କହିବାକୁ ଚାହଁନ୍ତି ?
ଉତ୍ତର - ଏତିକି କହିବାକୁ ଚାହିଁବି ଯେ ଆପଣଙ୍କ ଭିତରେ ଯେଉଁ ପ୍ୟାସନ(ଆବେଗ) ରହିଛି ତାକୁ କେବେ ମରିବାକୁ ଦେବେ ନାହିଁ । ପରିସ୍ଥିତି ଯାହା ବି ଥାଉ ଯଦି ଆପଣଙ୍କ ବାପା-ମାଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିଛି ଏବଂ ଆପଣଙ୍କ ଲକ୍ଷ୍ୟ ଓ ଇଚ୍ଛାଶକ୍ତି ପ୍ରବଳ ଅଛି ତେବେ ନିଜ କାମ ଉପରେ ବିଶ୍ୱାସ ରଖନ୍ତୁ । ଯଦି ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ବିଫଳତାର ସ୍ୱାଦ ଚାଖନ୍ତୁ; ବିଫଳତାର ଭୟ ତ୍ୟାଗ କରି ଆଗକୁ ବଢନ୍ତୁ । ଗୋଟିଏ ବିଫଳରେ ଭାଙ୍ଗି ପଡ଼ନ୍ତୁ ନାହିଁ କାରଣ ଜୀବନ ଅତ୍ୟନ୍ତ ମୂଲ୍ୟବାନ। 


ଏଇ ସାକ୍ଷାତକାର ପାଇଁ ନିଜର ବହୁମୂଲ୍ୟ ସମୟ ଦେଇ ଥିବାରୁ ଶୁଭଦୃଷ୍ଟି ପରିବାର ତରଫରୁ ମନସ୍ଵିନୀ ପତିଙ୍କୁ ବହୁତ ଧନ୍ୟବାଦ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now