ସ୍ମରଣେ ଅତୀତ କଥା

ସ୍ମରଣେ ଅତୀତ  କଥା - ଦୀପ୍ତି ଦେବଦର୍ଶିନୀ ସୁତାର 


ଓଡ଼ିଆ ମୁହିଁରେ ଗଢ଼ା ମୋର ଦେହ
ଓଡ଼ିଶାର ପାଣି ପବନେ
ତାହାର ଅତୀତ ଗଉରବ ରାଜି
ଗର୍ବ ତୋଳେ ପ୍ରତି ସ୍ପନ୍ଦନେ   ।।

ହଜି ଯାଇଥିଲା ସ୍ୱାଧୀନତା ତାର
ଇଂରେଜ ଶାସନ କାଳରେ
ମନେପଡେ ଯେବେ ସେ ଦୁଃଖ କାହାଣୀ
ଲୁହ ଭରିଯାଏ ନୟନେ     ।।

ଏଡିକି ନିଷ୍ଠୁର ବିଦେଶୀର  ମନ
ବାରବାଟୀ ଜୟ କଲା
ଉତ୍କଳର ସ୍ୱାଧୀନତା ଛିନ୍ନ କରି
ନିଜ କବଳେ ରଖିଲା   ।।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ର ସ୍ବପ୍ନ
ଦେଖିଲେ ଓଡ଼ିଆ ପୁଅ
ବିଛିନ୍ନ ଓଡ଼ିଆ ଜାତିକୁ ଏକାଠି
କରିବାରେ ଦେଲେ ଲୟ   ।।

ଉତ୍କଳ ଗୌରବ ମଧୁସୂଦନ ଓ
ପାରଳାର ଗଜପତି
ତାଙ୍କର ଅଦମ୍ୟ ଉଦ୍ୟମ ଫଳରେ
ଓଡିଶା ହୋଇଲା ମୁକ୍ତି     ।।

ଉତ୍କଳ ସମ୍ମିଳନୀର ଗଠନ
ଖେଳାଇଲା ଆନ୍ଦୋଳନ
ଲଢ଼ିଲେ ଲଢୁଆ ବୀର ସନ୍ତାନତା
ବିଜୟ କାମନା ପଣ   ।।

ଉଣେଇଶ ଛତିଶ ମସିହା ଏପ୍ରିଲ
ଏକ ତାରିଖର ଦିନ
ଇଂରେଜ ସରକାର ବିହାର ସାଥିରୁ
ଓଡିଶା  କଲା ବିଛିନ୍ନ     ।।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ହୋଇଲା
ଏକ ଏପ୍ରିଲ ଦିନ
ଉତ୍କଳ ଦିବସ ନାମରେ ନାମିତ
ହେଲା ସେ ଦିନଟି  ଜାଣ   ।।

ଏହି ଦିନଟିକୁ ଆନନ୍ଦ ଉଲ୍ଲାସେ
ପାଳନ୍ତି ଓଡିଶା ବାସୀ
ଆହୁରି କେତେକ ଓଡ଼ିଆ ଅଂଚଳ
କାନ୍ଦୁଛି ବିଦେଶେ ମିଶି     ।।

ଓଡ଼ିଆ ପ୍ରାଣର ଗତି ମୁକ୍ତି ଦାତା
ଓଡ଼ିଶାର ବଡ଼ ଦିଅଁ
ଗର୍ବରେ ମଥା ଟେକି କହୁ ଆଜି
ଉତ୍କଳ ପରି କେ ନୁହଁ     ।।

ସବୁରି ମନରେ ଭରିଯାଉ ଶାନ୍ତି
ସ୍ନେହ  ପ୍ରେମ ଓ ମମତା
ଉତ୍କଳ ଦିବସ ଏ ବାରତା ବାଣ୍ଟି
ସ୍ମରଣେ ଅତୀତ  କଥା   ।।


ଦୀପ୍ତି ଦେବଦର୍ଶିନୀ ସୁତାର (ଶିକ୍ଷୟିତ୍ରୀ)
ଓରାଳି ,ହାଟଡିହୀ,କେନ୍ଦୁଝର
                 758073

Post a Comment

Post a Comment (0)

Previous Post Next Post
Free Shubhdristi App Download Now