ମେଞ୍ଚାଏ ଅଳନ୍ଧୁ

ତୁମେ ପଚାରିଲ
ମୋ ଚୁପ୍ ରହିବାର କାରଣ
ମୁଁ ଉତ୍ତର ରେ ଫେରେଇ ଦେଲି
ଲୁଣିଆ ହସ ରୁ ଚେନାଏ
କେଜାଣି କ'ଣ ବୁଝିଲ

ମୁଁ ଚଷମା ପିନ୍ଧୁଛି ଏଇ ଏବେ ଏବେ
ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ
ଝରକା ସେପାଖେ ଥୁଣ୍ଟା ଗଛଟିଏ
ସେ ଗଛ ଟା ରେ ବାଇଆ ବସା ହଳେ
କାଇଁ ଚିଁ ଚିଁ ଶୁଭୁନି ତ!
ସେଠି ବୋଧେ ଜୀବନ ଝୁଲୁଛି

ତୁମେ ଆସ୍ତେ କରି କହିଲ
ମୋ ଗାଲ ରେ କୁନି କଳାଜାଇ
ମୁଁ ଆଖି ଚୋରେଇଲି
ତୁମେ ଅନେଇ ରହିଲ ସାଢ଼େ ଆଠ ସେକେଣ୍ଡ
ମୁଁ ଭୟ କରୁଥିଲି,କାଳେ ଆଉ ଥରେ....

ସେଇ ବାଟେ ଚଢ଼େଇ ଟେ ଉଡ଼ିଗଲା
ମୁଁ ଆଖି ଫେରେଇଲି
ଆକାଶ ରେ ତାରା ଟେ ଦିଶିଲା
ମୁଁ ଓଢ଼ଣୀ ରେ ଚଷମା ପୋଛିଲି
ତୁମେ କିଛି ଗୋଟେ ଗୁଣୁଗୁଣେଇଲ,
ମୁଁ କାନ ଡେରି ଗପ ଟେ ଶୁଣିଲି

ତୁମେ ପୁଣି ଉତ୍ତର ରେ ଶବ୍ଦ ଟେ ଖୋଜିଲ
ମୁଁ ପାପୁଲିରେ ଲୁହ ଟୋପେ ଦେଲି
ଏବେ ତମ ଆଖିତଳେ ପ୍ରଶ୍ନ ବାଚକ ଚିହ୍ନ
ହେଲେ ମୋ ଚଷମା ରେ ମେଞ୍ଚାଏ ଅଳନ୍ଧୁ!

©ସୋନାଲି ପଣ୍ଡା

Post a Comment

Post a Comment (0)

Previous Post Next Post