ଆବର୍ସନ୍

ଆବର୍ସନ୍

ମୂଳ ହିନ୍ଦୀ-ଆରୋହୀ ନାଗର
ଓଡ଼ିଆ ଅନୁବାଦ-ଏ ପି ଶୁଭକାନ୍ତ

(ଆହ୍ୱାନ E-ପତ୍ରିକା ର ଅପ୍ରେଲ ବିଶେଷ ବିଷୁବ ସଂସ୍କରଣ ୨୦୧୯ ସଂଖ୍ୟା ରେ ପ୍ରକାଶିତ )


       ସମୟ ରାତି ପ୍ରାୟ ଏଗାରଟା, କବାଟରେ ଠକ୍ ଠକ୍ ଶବ୍ଦ ଶୁଣି କବାଟ ଖୋଲିଲା ଶୁଭ। କବାଟ ସେପଟରେ ଥିବା ଆନନ୍ଦ ଶୁଭ କୁ ଠେଲିଦେଇ ଘର ଭିତରକୁ ଚାଲିଗଲା। ଝିଅ ଦୁଇଜଣ ନିଦରେ ଶୋଇପଡ଼ିଥିଲେ।
' ମୁଁ ଡାକ୍ତରଙ୍କ ସହ କଥା ହୋଇଯାଇଛି।କାଲି ଅଲଟ୍ରାସାଉଣ୍ଡ କରିନେବା ଯଦି ଝିଅ ହେଲା ତାହେଲେ ଆବର୍ସନ୍ ପାଇଁ ଗୋଟେ ଡେଟ୍ ନେଇଯିବା। ' ଆନନ୍ଦ ନିଜର ନିଷ୍ପତ୍ତି ଶୁଣାଇଲା ଭଳି କହିଲା।
ଆନନ୍ଦ ଆଉ ଶୁଭ ଦୁଇଟି କନ୍ୟା ସନ୍ତାନର ଅଧିକାରୀ। ଯେତେବେଳେ ଶୁଭ ତୃତୀୟ ଥର ଗର୍ଭବତୀ ହେଲା ତା ଶାଶୁ ସିଧା ସିଧା କହିଦେଲେ ' ଦେଖ୍ ଆନନ୍ଦ, ମୋର ଏଥର ନାତି ଦରକାର୍ ନହେଲେ ମୋ ଠୁ ଖରାପ୍ କେହି ହେବେନି। '
ତୃତୀୟ ଥର ସନ୍ତାନ ଚାହୁଁନଥିବା ଶୁଭ କିନ୍ତୁ ଆନନ୍ଦ ଆଉ ପରିବାରର ଜିଦ୍ ଆଗରେ ଚୁପ୍ ରହିଲା, କିନ୍ତୁ କୌଣସି ବି ପରିସ୍ଥିତି ରେ ଆବର୍ସନ୍ ଚାହୁଁନଥିଲା ଶୁଭ ତେଣୁ ସେ ଆନନ୍ଦ ର କଥାରେ ପ୍ରତିବାଦ କଲା।
' ପୁଅ ହେଉ କି ଝିଅ, ମୁଁ ଆବର୍ସନ୍ କରିବିନି। '
' ପାଗଳ ହେଇଗଲଣି, ୩-୩ ଜଣ ଝିଅଙ୍କ ପାଠପଢା ବାହାଘର ଖର୍ଚ୍ଚ କିଏ ଦେବ? ' କ୍ରୋଧ ମିଶା ସ୍ଵରରେ ଜବାବ୍ ଦେଲା ଆନନ୍ଦ।
' ପୁଅ ହେଲେ କଣ ଖର୍ଚ୍ଚ କମିଯିବ! ' ଆନନ୍ଦ କୁ କଟାକ୍ଷ କରିବା ଭଳି କହିଲା ଶୁଭ।
' ପୁଅ ହେଲେ ଆମ ବଂଶ ଉଦ୍ଧାର କରିବ, ଆମ କୁଳ ର ନାଁ ଉଜ୍ଜ୍ୱଳ କରିବା। ଝିଅ ହେଲେ ପର ଘରକୁ ତ ଯିବ ସେଥିରେ ପୁଣି ଯୌତୁକ ବି ନେଇକି ଯିବ। ' ପ୍ରତିବାଦ କରି କହିଲା ଆନନ୍ଦ।
' ଆଛା ଯେବେ ସୁରଭି ଦିଦି ରାଷ୍ଟ୍ରପତି ପୁରସ୍କାର ପାଇଥିଲେ ସେତେବେଳେ କାହା ନାଁ ହେଇଥିଲା? ମଞ୍ଚରେ କାହା ନାଁ ରେ ଡକାଯାଇଥିଲା? ବାପାଙ୍କ ନାଁ ରେ ନା ତାଙ୍କ ଶଶୁର ଙ୍କ ନାଁ ରେ? ଟିଭି ଖବରକାଗଜ ସବୁଥିରେ ବାପାଙ୍କ ସହ ଦିଦିଙ୍କୁ ଦେଖି ତୁମେ ତ କହିଥିଲ ଦିଦି ଆମ ନାଁ ଉଜ୍ଜଳ କରିଦେଲା। ' ପୁରୁଣା କଥା ସବୁ ଆନନ୍ଦ କୁ  ମନେପକାଇଦେଉଥିଲା ଶୁଭ।
' ଆନନ୍ଦ ମୁଁ ତ ମୋ ଦୁଇଝିଅଙ୍କ ସହ ଖୁସି ଥିଲି କିନ୍ତୁ ତୁମେ ହିଁ ତୃତୀୟ ସନ୍ତାନ ପାଇଁ ଜିଦ୍ କରିଥିଲ ତେଣୁ ଇଏ ପୁଅ ହେଉ କି ଝିଅ  ଆମେ ଖୁସିରେ ସ୍ବୀକାର କରିବା। ' ଆନନ୍ଦ କୁ ବୁଝାଇବାର ଚେଷ୍ଟା କରୁଥିଲା ଶୁଭ।
' କିନ୍ତୁ ବୋଉ....... ବୋଉ କଣ ମାନିବ! ' ଆନନ୍ଦ କଥାରୁ ଭୟ ସ୍ପଷ୍ଟ ବାରି ହୋଇପଡୁଥିଲା।
ଶୁଭ କହିଲା ' ତୁମେ ଚିନ୍ତା କରନି ମୁଁ ବୋଉଙ୍କ ସହ କଥା ହେବି। '
ରାତିରେ ଶୁଭ ଶାଶୁଙ୍କ ପାଖକୁ ଯାଇ କହିଲା ' ବୋଉ, ପଣ୍ଡିତେ ଫୋନ୍ କରିଥିଲେ।ସେ କହୁଥିଲେ ତୁମ ପୁଅଙ୍କର ମଙ୍ଗଳ ଆଉ ଶନି ଗୋଟିଏ ଘରେ ଅଛନ୍ତି। ଗର୍ଭପାତ କଲେ ବିପଦ ପଡ଼ିପାରେ,ଘୋର ବିପଦ। ' ଏତିକି ଶୁଣି ଚମକିପଡିଲେ ଶାଶୁ।
' ନା ଝିଅ, ଆମେ ଆବର୍ସନ୍ କରିବାନି। ଏ ପୁଅ ଝିଅରେ କଣ ଅଛି ଏବେ ତ ସବୁ ସମାନ। ପଣ୍ଡିତଙ୍କୁ କହିବୁ ପ୍ରତିକାର ପାଇଁ କଣ ଜରୁରୀ କରିବେ। ' ଭୟମିଶ୍ରିତ କଣ୍ଠରେ ଶୁଭ ର ଶାଶୁ କହିଲେ ।
' ହଁ ବୋଉ ମୁଁ ପଣ୍ଡିତଙ୍କୁ କାଲି ସକାଳେ କହିଦେବି ଆଉ ତୁମ ପୁଅ କଣ କାଲି ଡାକ୍ତରଙ୍କ ପାଖକୁ ଯିବେ କହୁଥିଲେ। ' ଶୁଭ ଶାଶୁଙ୍କୁ ପଚାରିବା ଭଳି କହିଲା।
' ତାକୁ କହିବୁ ଯିବା ଦରକାର ନାହିଁ।ପୁଅ ହେଉ କି ଝିଅ ଆମର କିଛି ଅସୁବିଧା ନାହିଁ। ' ନିଜର ଶେଷ ନିଷ୍ପତ୍ତି ଶୁଣାଇଦେଲେ ଶାଶୁ।
ଶାଶୁଙ୍କ ନିଷ୍ପତ୍ତି ଶୁଣି ଶୁଭ ଭାବୁଥିଲା ଆଜି ତା ଶାଶୁ ପ୍ରମାଣ କରିଦେଲେ ଗୋଟେ ମା ପାଇଁ ତା ଶିଶୁ କେତେ ମୂଲ୍ୟବାନ।

ଚିତ୍ର- ଗାୟତ୍ରୀ ତ୍ରିପାଠୀ

Post a Comment

Post a Comment (0)

Previous Post Next Post
Free Shubhdristi App Download Now