ସେଇ ବୁଢୀ ମାଉସୀର କଥା

ସେଇ ବୁଢୀ ମାଉସୀର କଥା - ଜନ୍ମଜୟ ନାୟକ
         
  ଦିନକୁ ଦୁଇ ବା ତିନିଥର ଆମନାସାମନି ହେଇଯାଉଥାଏ ସେହି ବୁଢୀ ମାଉସୀ ସହ। ବିଦ୍ୟାଳୟ ହତା ମଧ୍ୟକୁ ପ୍ରବେଶ କରୁକରୁ ଫାଟକ କଡରେ ବସି ରହିଥିବା ସେହି ବୃଦ୍ଧା ମହିଳାଙ୍କ ଉପରେ ନଜର ପଡେ ସମସ୍ତଙ୍କର। ଲୋଚାକୋଚା ହେଇ ଯାଇଥିବା ଚମ ରେ ଘୋଡେଇ ହେଇ କୋଟରାଗତ ହେଇଯାଇଥିବା ସେଇ ଆଖି ଯୋଡିକ ସହ ଆଖି ମିଶିଗଲେ କେମିତି କେଜାଣି ଗୋଟିଏ ଆନନ୍ଦ ଖେଳିଯାଏ ସେ ଆଖିର ଚମକରେ। ସହରର ଚାକଚକ୍ୟ ମଧ୍ୟରେ ବଢି ଆସିଥିବା ମାଧବ ସାର୍ ନୂଆକରି ଯୋଗଦେଇଥାନ୍ତି ସେହି ନିପଟ ମଫସଲ ଗାଁର ଉଚ୍ଚ ବିଦ୍ୟାଳୟରେ। ମାଧବ ସାର୍, ସେ ଜଣେ ଶାନ୍ତ, ସରଳ, ନିଷ୍କପଟ, ସ୍ନେହକାଙ୍ଗାଳ, ସ୍ନେହୀ, ଆମାୟିକ ବ୍ୟକ୍ତିତ୍ବ। ସାରଙ୍କ ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଥାଏ ସେହି ବୁଢୀ ମାଉସୀକୁ ଦେଖି। ସତେ ଯେମିତି ସେ ଏକ ଅସମାହିତ ପହେଳୀ।ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ଏକ ବଡ ସହରରେ ଛୋଟରୁ ବଡ ହେଇଥିଲେ ମଧ୍ୟ, ମାଧବ ସାର୍ ଜଣେ ସତ୍ ଚରିତ୍ର, ସଂସ୍କାରୀ, ଦରଦୀ ମଣିଷଟିଏ। ତାଙ୍କ ମତରେ ଜଣେ କେବଳ ଶିକ୍ଷିତ ହୋଇଗଲେ ଦୁନିଆରେ ସଫଳତା ପାଇ ନଥାଏ। ଜୀବନରେ ଶିକ୍ଷା ସହ ସଂସ୍କାର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶିକ୍ଷା ମଣିଷକୁ ପ୍ରତିଷ୍ଠା ଦିଏ, କିନ୍ତୁ ସଂସ୍କାର ଦ୍ବାରା ମଣିଷ ସମାଜରେ ସମ୍ମାନିତ ହୁଏ।      
       ବୁଢୀ ମାଉସୀ ସମ୍ବନ୍ଧିତ ପ୍ରଶ୍ନଗୁଚ୍ଛର ସମାଧାନ ପାଇଁ ମାଧବ ସାର୍ ସମୟେ ସମୟେ ବୁଢୀ ମାଉସୀକୁ ଲକ୍ଷ୍ୟ କରି ରୁହନ୍ତି। ସେହି ମାଉସୀ ସତେ ଯେମିତି କୁହୁକ ପେଡି ଖୋଲି ବସିଛି! କେତେ ଆଦରଣୀୟା ସେ। ନିଜ ମିଠା ମିଠା କଥାରେ ପ୍ରଥମରୁ ଦଶମ ସବୁ ପିଲା ମାନଙ୍କ ମନ ଜିଣି ନେଉଛି। ସବୁ ପିଲା ତା ପାଖରେ ଭିଡ ଜମେଇଥାନ୍ତି। କେତେ ଅଳି ଅର୍ଦଳି ତା ପାଖେ ପିଲାଙ୍କର। ପାକୁଆ ପାଟିରେ ଲହଡି ଭାଙ୍ଗୁଥାଏ ମନଖୋଲା ହସ। ସତେ ଯେମିତି ସେ ସବୁକିଛି ପାଇ ଯାଇଛି ପିଲା ମାନଙ୍କର ସେ କୋଳାହଳରେ। ପଇସା ରୋଜଗାର ତାର ଲକ୍ଷ୍ୟ ନୁହେଁ କିନ୍ତୁ ଛୋଟଛୋଟ ପିଲାଙ୍କୁ ସ୍ନେହ ଶ୍ରଦ୍ଧା ବାଣ୍ଟିବା ତାର ଉଦ୍ଦେଶ୍ୟ ବୋଲି ମାଧବ ସାର୍ ବୁଝିଗଲେ। ପାଖରେ ପଇସା ନଥାଇ ଭୋକିଲା ପିଲାଟିଏ ତାକୁ ଚାହିଁ ରହିଥିଲେ ବୁଢୀ ମାଉସୀ ତାକୁ ପାଖକୁ ଡାକି ବିନା ପଇସାରେ ବାରମଜା, ପାମ୍ପଡ, ନଳ ଦେଉଥିବାର ଦେଖିବାକୁ ମିଳୁଥିଲା।ଖାଲି ଏତିକି ନୁହେଁ ଅସୀମ ସ୍ନେହଶ୍ରଦ୍ଧା ସେ ଢାଳି ଦେଉଥିଲା ଅଯାଚିତ ଭାବେ। ଏହିପରି ବୁଢୀ ମାଉସୀ ପ୍ରତି ମାଧବ ସାର୍ ଙ୍କ ସମ୍ମାନ ଓ ଆନ୍ତରିକତା ଧିରେଧିରେ ବଢି ଚାଲିଥାଏ।
          ବୟସର ଅପରାହ୍ଣରେ ଉପନୀତ, ଅଥଚ କାହା ଉପରେ ନିର୍ଭର ନକରି ସ୍ବାବଲମ୍ବୀ। ଦେହ ହାତ ଥରୁଛି, ଅଥଚ ପିଲା ମାନଙ୍କ ପାଇଁ କେତେ ସରାଗରେ ଖାଦ୍ୟ ପସରା ନେଇ ଆସୁଛି।ଜୀବନର ଯାତ୍ରାରେ ତାକୁ ଥକି ପଡିବାର କେହି ଦେଖି ନାହାଁନ୍ତି। ପରିଶେଷରେ ନିଜର କୋହ ଆଉ ଜିଜ୍ଞାସାକୁ ସମ୍ଭାଳି ନପାରି ମାଧବ ସାର୍ ଯାଇ ବୁଢୀ ମାଉସୀକୁ ତା ବିଷୟରେ ପଚାରିଲେ। ଆଶ୍ଚର୍ଯ୍ୟ ହେଇଗଲେ ସେ! ଶାମୁକାର ଗର୍ଭରେ ଲୁକ୍କାୟିତ ମୋତି ଥିଲାପରି ତାର ଅନ୍ତରରେ ମଧ୍ୟ ଅନେକ ଅକୁହା କଥା ସାଇତି ରଖିଥିଲା ସେ। ମାଧବ ସାର୍ ଜାଣିବାକୁ ପାଇଲେ ଯେ, ନିଜର ସ୍ବାମୀ ଓ ସନ୍ତାନକୁ ସଡକ ଦୁର୍ଘଟଣାରେ ହରେଇବା ପରଠୁ ସେ ଗାଁର ସବୁ ଶିଶୁକୁ ନିଜ ପରିବାର ଭାବି ନେଇ ତାଙ୍କ ସହ ସମୟ କାଟିବାକୁ ଚାଲିଆସେ ସେହି ସ୍ଥାନକୁ। ପିଲାମାନଙ୍କୁ ଖାଦ୍ୟ ଖୁଆଇବାରେ କାଳେ ଅସୀମ ଆନନ୍ଦ ମିଳେ ତାକୁ! ଛୁଆଙ୍କ କୋଳାହଳ ଆଉ ଖୁସିକୁ ଦେଖି ନିଜ ମନକୁ ତୃପ୍ତ କରିନିଏ ସେ। ଏ ଜୀବନରେ ତାର ଆଉ କିଛି ଲୋଡା ନାହିଁ। ବୁଢୀ ମାଉସୀଠୁ ଏତିକି ଶୁଣୁଶୁଣୁ ଆଖି ଭରିଆସିଲା ମାଧବ ସାରଙ୍କର। ତାର ପିଲାମାନଙ୍କ ପ୍ରତି ନିସ୍ବାର୍ଥପର ପ୍ରେମ,ଜୀବନ ଜୀଇଁବାର ଅନନ୍ୟ କଳା ଆଉ ସେବା ଆଗରେ ନତମସ୍ତକ ହୋଇଗଲେ ସେ।

Post a Comment

1 Comments

Emoji
(y)
:)
:(
hihi
:-)
:D
=D
:-d
;(
;-(
@-)
:P
:o
:>)
(o)
:p
(p)
:-s
(m)
8-)
:-t
:-b
b-(
:-#
=p~
x-)
(k)

Hindi Ads